ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟା ରେ ୧୬ ନମ୍ବର ଜାତୀୟ ରାଜପଥର ଖଲ୍ଲିକୋଟ ଘାଟି ନିକଟରେ ଏକ ଭୟଙ୍କର ଦୁର୍ଘଟଣା ଘଟିଥିଲା। ଆନ୍ଧ୍ରପ୍ରଦେଶରୁ ଅନୁଗୁଳ ଅଭିମୁଖେ ପ୍ରାୟ ୨୫ ମେଟ୍ରିକ୍‌ ଟନ୍‌ ହାଇଡ୍ରୋକ୍ଲୋରିକ୍‌ ଏସିଡ୍‌ ନେଇ ଯାଉଥିବା ଏକ ଟ୍ୟାଙ୍କର ଓଲଟି ପଡ଼ିବାରୁ ଏସିଡ୍‌ ଲିକ୍‌ ହୋଇ ଚତୁର୍ଦ୍ଦିଗରେ ଏକ ବିପଜ୍ଜନକ ସ୍ଥିତି ସୃଷ୍ଟି ହୋଇଥିଲା। ଏସିଡ୍‌ରୁ ବାହାରୁଥିବା ଘନ ଧୂଆଁ ଓ ଦୁର୍ଗନ୍ଧ ଯୋଗୁ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା। ପ୍ରଶାସନ ପକ୍ଷରୁ ଉଭୟ ପାର୍ଶ୍ୱରେ ଗାଡ଼ି ଚଳାଚଳକୁ ବନ୍ଦ କରାଯାଇଥିଲା।

ସୂଚନା ପାଇବା ମାତ୍ରେ ଜିଲା ପ୍ରଶାସନ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜର ୟୁନିଟ୍‌ ହେଡ୍‌ଙ୍କ ସହ ଯୋଗାଯୋଗ କରିଥିଲେ। ପରିସ୍ଥିତିର ଗୁରୁତ୍ୱ ଉପଲବ୍ଧି କରି ୟୁନିଟ୍‌ ହେଡ୍‌ ଅଜୟ ଗୁପ୍ତାଙ୍କ ନିର୍ଦ୍ଦେଶରେ ଗ୍ରାସିମର ଫାୟାର୍‌ ଆଣ୍ଡ ସେଫ୍ଟି ଟିମ୍‌ ତୁରନ୍ତ ସମସ୍ତ ଆଧୁନିକ ସୁରକ୍ଷା ଉପକରଣ, ଏକ ଅଗ୍ନିଶମ ବାହିନୀ ଗାଡ଼ି ଏବଂ ପ୍ରାୟ ୫ ମେଟ୍ରିକ୍‌ ଟନ୍‌ ଚୂନ ଧରି ଘଟଣା ସ୍ଥଳରେ ପହଞ୍ଚିଥିଲେ। ବରିଷ୍ଠ ଅଧିକାରୀ ପ୍ରମୋଦ ପାଣିଗ୍ରାହୀଙ୍କ ନେତୃତ୍ୱରେ ଟିମ୍‌ ସଦସ୍ୟ ମହେନ୍ଦ୍ର ବିଶ୍ୱାଳ, ଲିପିତ ମହାନ୍ତି ଏବଂ ଅନ୍ୟ କର୍ମଚାରୀମାନେ ଜୀବନକୁ ବାଜି ଲଗାଇ ଏସିଡ୍‌ ନିଷ୍କ୍ରିୟକରଣ ପ୍ରକ୍ରିୟା ଆରମ୍ଭ କରିଥିଲେ। ପ୍ରାୟ ଏକ ଘଣ୍ଟାର ନିରବଚ୍ଛିନ୍ନ ଉଦ୍ୟମ ପରେ ଏସିଡ୍‌ ଲିକକୁ ସଫଳତାର ସହ ନିୟନ୍ତ୍ରଣ କରାଯାଇଥିଲା। ପରେ ଏକ କ୍ରେନ୍‌ ସାହାଯ୍ୟରେ ଟ୍ୟାଙ୍କରକୁ ରାସ୍ତାରୁ ହଟାଯାଇ ରାତି ପ୍ରାୟ ସାଢେ ୧୦ଟାରେ ଉକ୍ତ ରାସ୍ତାରେ ଗାଡିମୋଟର ଯାତାୟାତ ସ୍ବାଭାବିକ କରାଯାଇଥିଲା। ଗ୍ରାସିମର ଅଫସାଇଟ୍‌ ସୁରକ୍ଷା ଭୂମିକା କେବଳ ଏହି ଘଟଣା ନୁହେଁ, ବରଂ ଗଞ୍ଜାମ ଓ ପଡ଼ୋଶୀ ଜିଲାଗୁଡ଼ିକରେ ଯେତେବେଳେ ବି କୌଣସି ରାସାୟନିକ ଜରୁରୀକାଳୀନ ପରିସ୍ଥିତି ଉପୁଜିଛି, ଗ୍ରାସିମ୍‌ ସର୍ବଦା ଆଗଧାଡ଼ିରେ ରହିଛି।

୨୦୨୧ରେ ଛତ୍ରପୁର କଲେଜ ଛକ ନିକଟରେ ଏଲପିଜି ଟ୍ୟାଙ୍କର ଲିକ୍‌, ସେହି ବର୍ଷ ଗଞ୍ଜାମ ଏ-ୱାନ ଢାବା ନିକଟରେ ଆମୋନିଆ ଗ୍ୟାସ୍‌ ଲିକ୍‌, ୨୦୨୨ରେ ଗଞ୍ଜାମ କଲେଜ ନିକଟରେ ଏଲପିଜି ଲିକ୍‌ ଏବଂ ନିକଟରେ ୨୦୨୪ରେ ପୁଇଁତଳାଠାରେ ଆମୋନିଆ ଗ୍ୟାସ୍‌ ଲିକ୍‌ ଭଳି ଜଟିଳ ପରିସ୍ଥିତିକୁ ଗ୍ରାସିମ୍‌ ଟିମ୍‌ ଦକ୍ଷତାର ସହ ମୁକାବିଲା କରିଛି। ଏହା ବ୍ୟତୀତ ବ୍ରହ୍ମପୁରରେ କ୍ଲୋରିନ୍‌ ଟନର୍‌ ଲିକ୍‌ ଏବଂ ଛତ୍ରପୁରରେ ଏସିଡ୍‌ ଲିକ୍‌ ସମୟରେ ମଧ୍ୟ କମ୍ପାନୀର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥିଲା। କେବଳ ଶିଳ୍ପାଞ୍ଚଳ ନୁହେଁ ବରଂ ସମାଜର ମଙ୍ଗଳ ଏବଂ ପରିବେଶ ସୁରକ୍ଷା ପାଇଁ ଗ୍ରାସିମ୍‌ର ଏହି ‘ଅଫସାଇଟ୍’ ସୁରକ୍ଷା କାର୍ଯ୍ୟକଳାପ ଜିଲ୍ଲା ପ୍ରଶାସନ ତଥା ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ଏକ ଭରସା ସୃଷ୍ଟି କରିପାରିଛି। ଗ୍ରାସିମ୍‌ର ଏହି ମହତ କାର୍ଯ୍ୟ ସମାଜର ଉନ୍ନତି ଓ ନିରାପତ୍ତା ଦିଗରେ ଏକ ପ୍ରଶଂସନୀୟ ପଦକ୍ଷେପ।

Dharitri – Odisha’s No.1 Odia Daily

Share