ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ ଅଙ୍ଗୁର

ଅଙ୍ଗୁରରେ ଅନେକ ପ୍ରକାର ଉପକାରୀ ଗୁଣ ଭରି ରହିଛି। ଏକ ସଦ୍ୟତମ ସର୍ଭେରୁ ଜଣାପଡ଼ିଛି ଯେ, ଏହାକୁ ନିୟମିତ ଖାଇଲେ ତାହା କେତେକାଂଶରେ ସଂକ୍ରମଣ ଆଶଙ୍କା ଦୂର କରିଥାଏ। ଓ୍ବାଶିଂଟନ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ ଏକଥା ପ୍ରକାଶ କରିଛନ୍ତି। ଏଭଳି ସିଦ୍ଧାନ୍ତରେ ଉପନୀତ ହେବା ପୂର୍ବରୁ ସେମାନେ ସଂକ୍ରମଣଜନିତ ସମସ୍ୟା ସହ ଜଡ଼ିତ କେତେକ ବ୍ୟକ୍ତିଙ୍କୁ ନିୟମିତ ଅଙ୍ଗୁର ଖାଇବାକୁ ପରାମର୍ଶ ଦେଇଥିଲେ। ଅନ୍ୟପକ୍ଷରେ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରରେ ଏହାର କେଉଁ ପ୍ରକାର ପ୍ରଭାବ ସେମାନଙ୍କର ସଂକ୍ରମଣ ଉପରେ ପଡୁଛି ତାହାକୁ ନିରୀକ୍ଷଣ ମଧ୍ୟ କରିଥିଲେ। ଏହାଦ୍ୱାରା ସର୍ଭେ ପରିସରଭୁକ୍ତ ବ୍ୟକ୍ତିମାନଙ୍କ ମଧ୍ୟରୁ ପ୍ରାୟ ୪୫ ପ୍ରତିଶତଙ୍କଠାରେ ସଂକ୍ରମଣ କମୁଥିବାର ଜଣାପଡିଥିଲା ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି। କେବଳ ସେତିକି ନୁହେଁ, ଏହାକୁ ନିୟମିତ ଖାଇଲେ ତାହା ଶରୀରରେ କୋଲେଷ୍ଟରଲ ପରିମାଣକୁ ସନ୍ତୁଳିତ ରଖେ। ସବୁଠାରୁ ଖାସ୍‌ କଥା ହେଲା, ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିବାରେ ଏହା ମଧ୍ୟ ସହାୟକ ହୋଇଥାଏ। ଅଙ୍ଗୁରରେ ଭିଟାମିନ୍‌ ‘କେ’, କ୍ୟାଲସିୟମ୍‌, ପୋଟାସିୟମ୍‌ ଓ ମ୍ୟାଗ୍ନେସିୟମ୍‌ ଭରି ରହିଛି। ଏହା ମଧ୍ୟ ଅସ୍ଥି ଓ ମଜ୍ଜାକୁ ଶକ୍ତ ରଖିଥାଏ।