ପାଟଣା, ୧।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ଅଞ୍ଚଳ ରେ ପ୍ରସ୍ତାବିତ ମେଗା ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ବୁଧବାର ଚେମଣା ପଞ୍ଚାୟତ ଅଙ୍ଗି କଳାଗ୍ରାମ ସ୍କୁଲ ପଡିଆରେ ୫ମ ଗ୍ରାମସଭା ଅନୁଷ୍ଠିତ ହୋଇଛି।
ଆୟୋଜିତ ଗ୍ରାମ ସଭା ସ୍ଥାନୀୟ ସରପଞ୍ଚ ହେମଲତା ନାଏକଙ୍କ ଅଧ୍ୟକ୍ଷତାରେ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହୋଇଛି। ଏଥିରେ ଅତିରିକ୍ତ ଜିଲାପାଳ ତଥା ସ୍ବତନ୍ତ୍ର ଭୂଅର୍ଜନ ଅଧିକାରୀ ରବୀନ୍ଦ୍ର କୁମାର ପ୍ରଧାନ, ସ୍ଥାନୀୟ ସମିତି ସଭ୍ୟ ମନୋଜ କୁମାର ମହାନ୍ତ, ସ୍ଥାନୀୟ ୱାର୍ଡ଼ ମେମ୍ବର,ପାଟଣା ତହସିଲଦାର ଅଶ୍ୱିନୀ କୁମାର ନାଏକ, ପାଟଣା ବିଡ଼ିଓ ମାନସ କୁମାର ଦଣ୍ଡପାଟ, ଇଡକୋ ଜମି ଅଧିଗ୍ରହଣ ଅଧିକାରୀ କୃଷ୍ଣ କିଶୋର ପାତ୍ର ପ୍ରମୁଖ ଯୋଗଦେଇଥିଲେ। ଅନ୍ୟପକ୍ଷରେ ଯମୁନାପୋଷି ପଞ୍ଚାୟତ ଗୋଡି ପୋଖରୀ ଓ ଯମୁନା ପୋଶିଞ୍ର ଜିନ୍ଦଲ ପୋସ୍କା ପ୍ରତିରୋଧ ମଞ୍ଚ ପକ୍ଷରୁ ଗ୍ରାମସଭାକୁ ବିରୋଧ କରାଯାଇଛି।
ସମ୍ଭାବ୍ୟ ଗଣ୍ଡଗୋଳକୁ ଆଖି ଆଗରେ ରଖି ସଭାସ୍ଥଳର ବିଭିନ୍ନ ପ୍ରବେଶ ପଥରେ ଅନେକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଥିଲେ। ଆଇନ ଶୃଙ୍ଖଳା ପାଇଁ ଖୋଦ କେନ୍ଦୁଝର ଆରକ୍ଷୀ ଅଧିକ୍ଷକ ନୀତିନ କୁଶଲ କର ଦାଗୁଡୁ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସ୍ନେହାଶିଶ ସାହୁ, ଜ୍ୟୋର୍ତିମୟ ଭୁକ୍ତ, ପ୍ରବଧାନ, ଚାମ୍ପୁଆ ଏସଡିପିଓ ରଶ୍ମି ରଞ୍ଜନ ସାହୁ,କେନ୍ଦୁଝର ଏସଡିପିଓ ସୁଦର୍ଶନ ଗାଙ୍ଗୋଇ, ଘଟଗାଁ ଏସଡିପିଓ ବିଜୟ କୃଷ୍ଣ ମହାପାତ୍ର ପାଟଣା ଅତିରିକ୍ତ ତହସିଲଦାର ଶରଣ କୁମାର ଜେନା, ତୁରୁମୁଙ୍ଗା ଥାନା ଅଧିକାରୀ ଦିପ୍ତୀରଞ୍ଜନ ସାହୁପ୍ରମୁଖ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ। ଏଥିରେ ୧୨ଜଣ ଗ୍ରାମବାସୀ ନିଜ ନଜର ଦାବି ଉପସ୍ଥାପନ କରି ଏକର ପିଛା ୧୫ କୋଟି ସହ ଅନ୍ୟାନ୍ୟ ୩୮ଟି ଦାବି ଉପସ୍ଥାପନ କରାଇଥିଲେ। ଗାଁର ୨୨୦.୮୬ ଡିସିମିଲ ଜମି ଅଧିଗ୍ରହଣ ପ୍ରସ୍ତାବ ଉପରେ ଗ୍ରାମସଭାରେ ଲୋକଙ୍କଠାରୁ ମତାମତ ଗ୍ରହଣ କରାଯାଇଥିଲା।