ବରଗଡ଼,୧୯।୬(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ରବିଧାନ ସଂଗ୍ରହ ପ୍ରକ୍ରିୟାକୁ ମାସେ ବିତି ଯାଇଛି। ମାତ୍ର ଧାନବିକ୍ରି ନେଇ ଜିଲାର ଚାଷୀମାନେ ବିଭିନ୍ନ ସମସ୍ୟାରେ ଛନ୍ଦି ହୋଇ ପଡ଼ିଛନ୍ତି। ମଣ୍ଡିରେ ଧାନ ଉଠାଯାଉ ନ ଥିବାବେଳେ କେଉଁ ଚାଷୀଙ୍କ ଟୋକନ ଅବଧି ସରିଯାଉଛି ତ ବର୍ଷା ମାଡ଼ି ଆସିଥିବାରୁ କାହାର ଧାନ ଭିଜି ନଷ୍ଟ ହୋଇ ବସିଛି। ଅନ୍ୟପଟେ ଜାଲିଆତି କରି ଧାନଚାଷ କରି ନ ଥିବା ତଥା ଅଣଚାଷୀଙ୍କ ନାମରେ ଟୋକନ ଇସ୍ୟୁ କରାଯାଇଛି ଏବଂ ସେହି ଟୋକନ ଆଧାରରେ ବେପାରୀଙ୍କ ମାଧ୍ୟମରେ ଛତିଶଗଡ଼ ଧାନକୁ ବରଗଡ଼ ଜିଲାରେ ବିକ୍ରି କରାଯାଉଥିବା ଅଭିଯୋଗ ହୋଇଛି।
ଏଭଳି ଅଭିଯୋଗରେ ସୋହେଲା ବ୍ଲକ ଅନ୍ତର୍ଗତ ପାଣିମୋରା ଏବଂ ବରପାଲି ବ୍ଲକ ଅନ୍ତର୍ଗତ ସତଲମା ପ୍ରାଥମିକ କୃଷି ସମବାୟ ସମିତି(ପାକ୍ସ)ର ବିଭାଗୀୟ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଥିବା ବେଳେ ସେମାନଙ୍କ ବିରୋଧରେ ଆପରାଧିକ ମାମଲା ରୁଜୁ ପାଇଁ ବିଭାଗୀୟ ପ୍ରସ୍ତୁତି ଆରମ୍ଭ ହୋଇଥିବା ସୂଚନା ମିଳିଛି। ତେବେ ଏହି ୨ ପାକ୍ସରେ ହୋଇଥିବା ଜାଲିଆତି ଅଭିଯୋଗର ଚର୍ଚ୍ଚା ନ ସରୁଣୁ ବରଗଡ଼ ବ୍ଲକ ସରସରା ପ୍ରାଥମିକ କୃଷି ସମବାୟ ସମିତିରେ ମଧ୍ୟ ଅନୁରୂପ ଜାଲିଆତି କରି ବେପାରୀଙ୍କ ଦ୍ୱାରା ଛତିଶଗଡ଼ ଧାନ ଉଠାଯାଉଛି ଏବଂ ସ୍ଥାନୀୟ ଚାଷୀଙ୍କ ଧାନ ବିକ୍ରି ବଦଳରେ ଦୀର୍ଘଦିନ ଧରି ମଣ୍ଡିରେ ପଡ଼ି ରହୁଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ନେଇ ସରସରା ପାକ୍ସ ଅଧୀନରେ ରହିଥିବା ଚାଷୀମାନେ ଜିଲାପାଳ ଏବଂ ସମବାୟ ଉପନିବନ୍ଧକ(ଡିଆର୍ସିଏସ୍)ଙ୍କୁ ଫେରାଦ ହୋଇ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ।
ଜିଲାପାଳଙ୍କ କାର୍ଯ୍ୟାଳୟରେ ଡେପୁଟି କଲେକ୍ଟର ସୁମତୀ ପଣ୍ଡା ଏବଂ ସମବାୟ ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ସହକାରୀ ସମବାୟ ନିବନ୍ଧକ(ଏଆର୍ସିଏସ୍) ଯୁଗଳ କିଶୋର ଦାଶ ଦାବିପତ୍ର ଗ୍ରହଣ କରିଥିଲେ। ସରସରା ପାକ୍ସରେ ଚାଷୀ ପଞ୍ଜୀକରଣ ଏବଂ ଧାନବିକ୍ରି ଟୋକନ ପ୍ରଦାନରେ ବ୍ୟାପକ ଜାଲିଆତି ହୋଇଥିବା ସେମାନେ ଅଭିଯୋଗ କରିଛନ୍ତି। ଯେଉଁମାନେ ଧାନ ଚାଷ କରିନାହାନ୍ତି, ସେଭଳି ଅଣଚାଷୀଙ୍କୁ ଟୋକନ ଦିଆଯାଇଛି ଏବଂ ସେଭଳି ଟୋକନରେ ବେପାରୀଙ୍କ ଧାନ ଉକ୍ତ ପାକ୍ସରେ କିଣାଯାଉଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଏହାଦ୍ୱାରା ଅଞ୍ଚଳର ପ୍ରକୃତ ଚାଷୀ ସେମାନଙ୍କ କଷ୍ଟୋପାର୍ଜିତ ଧାନବିକ୍ରିରୁ ବଞ୍ଚିତ ହେଉଛନ୍ତି ବୋଲି ଦାବିପତ୍ରରେ ଉଲ୍ଲେଖ ରହିଛି। ରମେଶ ପ୍ରଧାନ, ରୋହନ ଭୋଇ, ନେହେରୁ କାଣ୍ଡ, ସୁଧାଂଶୁ ନାୟକ, ତ୍ରିଲୋଚନ ଭୋଇ ପ୍ରମୁଖଙ୍କ ସ୍ବାକ୍ଷର ଦାବିପତ୍ରରେ ରହିଛି। ତେବେ ଚାଷୀଙ୍କ ଅଭିଯୋଗର ତଦନ୍ତ କରାଯାଇ ବିହିତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏଆରସିଏସ୍ ଦାଶ କହିଛନ୍ତି।