ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଶୁକ୍ରବାର ଦିଗପହଣ୍ଡିସ୍ଥିତ ଘୋଡ଼ାହାଡ଼ ପାଣି ପଞ୍ଚାୟତ ଶୀର୍ଷ କମିଟି ପକ୍ଷରୁ ଆଲୋଚନା ସଭା ଅନୁଷ୍ଠିତ ହୋଇଥିଲା। ପାଣି ପଞ୍ଚାୟତ ସଭାଗୃହଠାରେ ଆୟୋଜିତ ସଭାରେ ଶୀର୍ଷ କମିଟି ସଭାପତି ରମେଶ ଚନ୍ଦ୍ର ପାତ୍ର ଅଧ୍ୟକ୍ଷତା କରିଥିଲେ। ଘୋଡାହାଡ଼ ଜଳସେଚନ ଉପଖଣ୍ଡ କାର୍ଯ୍ୟାଳୟ ଉପ ନିର୍ବାହୀ ଯନ୍ତ୍ରୀ ଇଂ.ନିରଞ୍ଜନ ସାହୁ, ସହକାରୀ ଯନ୍ତ୍ରୀ ଇଂ. କ୍ଷୀରୋଦ ବେହେରା, ଇଂ.କିଶୋର ଚନ୍ଦ୍ର ପାତ୍ର,ପାଣି ପଞ୍ଚାୟତ ଶୀର୍ଷ କମିଟର ପୂର୍ବତନ ସଭାପତି ବିଦ୍ୟାଧର ମହାପାତ୍ର ପ୍ରମୁଖ ସଭାରେ ମଞ୍ଚାସିନ ଥିଲେ। ଘୋଡ଼ାହାଡ଼ ସେଚାଞ୍ଚଳ ଅଧିନ ୧୨ ଶହ ହେକ୍ଟର ଚାଷ ଜମିରେ ଆଖୁ, ଚିନାବାଦାମ,ମୁଗ,ବିରି ଓ ଡାଲି ଜାତୀୟ ଫସଲ ନିମନ୍ତେ ଡ଼୍ୟାମରୁ ଆବଶ୍ୟକ ପାଣି ଛଡାଯିବା ନିମନ୍ତେ ସଭାରେ ବିଧିବଦ୍ଧ ପ୍ରସ୍ତାବ ଗୃହୀତ କରାଯାଇଥିଲା। ସଭାରେ ବିଭିନ୍ନ ପାଣି ପଞ୍ଚାୟତ କାର୍ଯ୍ୟକର୍ତ୍ତା ନିରଞ୍ଜନ ପାଣିଗ୍ରାହୀ,ଏସ. ଜଗନ୍ନାଥ ପାତ୍ର,ନକୁଳ ପ୍ରଧାନ,ଦିବାକର ପାତ୍ର,ଭୂଷଣ ପ୍ରଧାନ,ସୀତାରାମ ପାତ୍ର ଓ କୋରା ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଜଳସେଚନ କର୍ମଚାରୀ ପ୍ରଦୀପ କୁମାର ମହାନ୍ତି ଏବଂ ଅନ୍ୟ କର୍ମଚାରୀ ବୃନ୍ଦ ସଭାକାର୍ଯ୍ୟ ପରିଚାଳନାରେ ସହାୟତା କରିଥିଲେ। ଡ଼୍ୟାମର ଜଳଧାରଣ କ୍ଷମତା ୧୧୭.୮୦ ମିଟର ଥିବା ବେଳେ ଗୁରୁବାର ସକାଳ ସୁଦ୍ଧା ଡ଼୍ୟାମରେ ୧୧୭.୬୮ ମିଟର ୯୯.୦୮ ପ୍ରତିଶତ ପାଣି ମହଜୁଦ ଥିବା ଉପ ନିର୍ବାହୀ ଯନ୍ତ୍ରୀ କହିଛନ୍ତି।ଅପରପକ୍ଷରେ ଦିଗପହଣ୍ଡି ବ୍ଲକ ଅଞ୍ଚଳରେ ଚଳିତବର୍ଷ ପ୍ରାୟ ୧୩ ହଜାର ହେକ୍ଟରରୁ ଊଦ୍ଧର୍‌ବ ଜମିରେ ରବି ଚାଷ କରାଯିବା ପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିବା ବ୍ଲକ କୃଷି ଅଧିକାରୀ କଲ୍ୟାଣୀ ରାଉତ ସୂଚନା ଦେଇଛନ୍ତି।

Dharitri – Odisha’s No.1 Odia Daily