ସରକାରଙ୍କ ଅଣଦେଖା: ଭୋଟ ବର୍ଜନ ଚେତାବନୀ ଦେଲେ ଗ୍ରାମବାସୀ

ଭବାନୀପାଟଣା,୯ା୫(ଉତ୍ତମ କୁମାର ଦାଶ): ଗ୍ରାମାଞ୍ଚଳର ବିକାଶ ପାଇଁ ବିଭିନ୍ନ ଯୋଜନାରେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ପ୍ରଶାସନିକ ଅବହେଳା ଓ ଜନପ୍ରତିନିଧିମାନଙ୍କ ଇଚ୍ଛାଶକ୍ତିର ଅଭାବ ଯୋଗୁ ଆଜି ବି ଉପାନ୍ତ ଅଞ୍ଚଳରେ ସରକାରଙ୍କ ବିକାଶ ପହଞ୍ଚି ପାରିନାହିଁ।

ସ୍ବାଧୀନତାର ଦୀଘ ୭୫ବର୍ଷ ପରେ ବି ମୌଳିକ ସୁବିଧା ପାଇବାରୁ ବଞ୍ଚିତ ଅଛନ୍ତି ଭବାନୀପାଟଣା ସଦର ବ୍ଲକ ଚାଞ୍ଚେର ପଞ୍ଚାୟତର ବେନଗାଁ ଗ୍ରାମବାସୀ। ଏହାକୁ ନେଇ ଗ୍ରାମବାସୀ ଭୋଟ ବର୍ଜନ ଚେତାବନୀ ଦେଇଛନ୍ତି। ଗ୍ରାମରେ ୧୫୦ରୁ ଊଦ୍ଧର୍‌ବ ଭୋଟର ଅଛନ୍ତି। ଗାଁକୁ ଆଜି ବି ଭଲ ରାସ୍ତାଟିଏ ନାହିଁ। ଗାଁକୁ ଗଲେ ବାଟରେ ପଡେ ବଡ଼ ନାଳ। ଗତ ଖରା ମାସରେ ପୋଲ ନିର୍ମାଣ କରାଯାଇଥିଲା। ହେଲେ ମାତ୍ର ଦୁଇମାସ ପରେ ଏହା ଭାଙ୍ଗିଯାଇଥିଲା। ଫଳରେ ଗାଁର ଲୋକେ ବର୍ଷା ଦିନରେ ନାହିଁ ନ ଥିବା ଅସୁବିଧା ଭୋଗ କରନ୍ତି। ଗାଁରୁ ଅନ୍ୟତ୍ର ଯିବାକୁ ହେଲେ ପାରି ହେବାକୁ ପଡେ ନାଳ। ବର୍ଷା ମାସରେ ଯଦି କେହି ଗୁରୁତର ରୋଗରେ ପୀଡିତ ହୁଅନ୍ତି ତା’ହେଲେ ଦୁଃଖ ଆହୁରି ବଢିଯାଏ।

ରୋଗୀ ହେଉ ଅବା ସାଧାରଣ ଲୋକ ବର୍ଷା ଦିନ ଆସିଲେ ଜଳବନ୍ଦୀ ଭାବେ ରହନ୍ତି ସମସ୍ତେ। ଯେଉଁଠି ରାସ୍ତାଘାଟର ଏଭଳି ଅବସ୍ଥା ସେଇଠି ଶିକ୍ଷା ଓ ସ୍ବାସ୍ଥ୍ୟ ଅବସ୍ଥା ନ କହିବା ଭଲ। ଗାଁକୁ ସବୁଦିନିଆ ଭଲ ରାସ୍ତା ନ ଥିବାରୁ ଗର୍ଭବତୀଙ୍କୁ ଡାକ୍ତରଖାନା ନେବା କଷ୍ଟକର ହୋଇପଡେ। କାରଣ ରାସ୍ତା ଖରାପ ଓ ନାଳ ପଡୁଥିବାରୁ ଗାଁକୁ ଆମ୍ବୁଲାନ୍ସ ଆସିପାରେ ନାହିଁ ବୋଲି କହିଛନ୍ତି ଗ୍ରାମବାସୀ। ସମସ୍ୟା ସବୁବେଳେ ଲାଗିରହିଛି। କିନ୍ତୁ ସରକାର ଓ ପ୍ରଶାସନ ଅଣଦେଖା କରୁଥିବାରୁ ଭୋଟ ବର୍ଜନ କରିବୁ ବୋଲି କହିଛନ୍ତି ଗ୍ରାମବାସୀ। ଏ ନେଇ ଜିଲା ପ୍ରଶାସନର ପ୍ରତିକ୍ରିୟା ମିଳିପାରିନାହିଁ। ତେବେ ସରକାର ଓ ଜିଲା ପ୍ରଶାସନ ତୁରନ୍ତ ଏହି ଗ୍ରାମ ପ୍ରତି ଦୃଷ୍ଟି ଦେଇ ସମସ୍ୟା ଦୂର କରିବା ପାଇଁ ଗ୍ରାମବାସୀ ନିବେଦନ କରିଛନ୍ତି।