ତାମିଲନାଡୁ ବିଧାନସଭାରୁ ରାଜ୍ୟପାଳଙ୍କ କକ୍ଷତ୍ୟାଗ

ଚେନ୍ନାଇ,୨୧ା୧: ତାମିଲନାଡୁ ରାଜ୍ୟପାଳ ଆର୍‌.ଏନ୍‌. ରବି ମଙ୍ଗଳବାର ରାଜ୍ୟ ବିଧାନସଭାରେ ଉଦ୍‌ବୋଧନ ନ ଦେଇ ଚାଲିଯାଇଛନ୍ତି। ବିନା ଭାଷଣରେ କକ୍ଷତ୍ୟାଗ କରିବା ରାଜ୍ୟପାଳ ରବିଙ୍କ ପାଇଁ ଏହା ଚତୁର୍ଥ ଘଟଣା। ରାଜ୍ୟ ପ୍ରସ୍ତୁତ ଭାଷଣରେ ଧ୍ୟାନ ରଖିବା ପାଇଁ ବାଚସ୍ପତି ଏମ୍‌. ଅପ୍ପାଭୁ ରାଜ୍ୟପାଳଙ୍କୁ ନିବେଦନ କରିବା ପରେ ଏହାକୁ ନେଇ ଯୁକ୍ତି ହୋଇଥିଲା। ରାଜ୍ୟପାଳଙ୍କ କାର୍ଯ୍ୟ ଗୃହ ଏବଂ ରାଜ୍ୟବାସୀଙ୍କ ପାଇଁ ଅପମାନ ବୋଲି ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ୍‌ କହିଛନ୍ତି। ସରକାରଙ୍କ ନୀତି ସମ୍ପର୍କିତ ବକ୍ତବ୍ୟ ଭିତ୍ତିହୀନ ଦାବି ଓ ବିଭ୍ରାନ୍ତିକର ଦର୍ଶାଇ ନ ପଢ଼ିବା ପାଇଁ ରାଜ୍ୟପାଳ ଯୁକ୍ତି କରିଥାନ୍ତି। ଅନ୍ୟପକ୍ଷରେ ଜାତୀୟ ସଙ୍ଗୀତକୁ ସମ୍ମାନ ଦେବା ମୌଳିକ ସାମ୍ବିଧାନିକ କର୍ତ୍ତବ୍ୟ ହୋଇଥିବାବେଳେ ତାହାର ଉଲ୍ଲଂଘନ ହୋଇଥିବା ରାଜ୍ୟପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଅଭିଯୋଗ ହୋଇଛି।
ଘଟଣା ପରେ ରାଜ୍ୟ ବିଧାନସଭାରେ ରାଜ୍ୟପାଳଙ୍କ ଅଭିଭାଷଣ ଅନିବାର୍ଯ୍ୟ ବୋଲି ରହିଥିବା ବ୍ୟବସ୍ଥାର ଉଚ୍ଛେଦ ପାଇଁ ସମ୍ବିଧାନ ସଂଶୋଧନ ପାଇଁ ତାଙ୍କ ଦଳ ଉଦ୍ୟମ କରିବ ବୋଲି ମୁଖ୍ୟମନ୍ତ୍ରୀ ତଥା ଡିଏମ୍‌କେ ଅଧ୍ୟକ୍ଷ ଷ୍ଟାଲିନ କହିଛନ୍ତି। ରବି କକ୍ଷତ୍ୟାଗ କରିବା ପରେ ବାଚସ୍ପତି ଅପ୍ପାଭୁ ରାଜ୍ୟ ପ୍ରସ୍ତୁତ ରାଜ୍ୟପାଳଙ୍କ ଅଭିଭାଷଣର ତାମିଲ ସଂସ୍କରଣ ପାଠ କରିଥିଲେ। ଏହି ସମୟରେ ମୁଖ୍ୟ ବିରୋଧୀ ଦଳ ଏଆଇଏଡଏମ୍‌କେ ଓ ଅନ୍ୟ ବିରୋଧୀ ଦଳଗୁଡ଼ିକ ରାଜ୍ୟରେ ଆଇନଶୃଙ୍ଖଳା ବିଫଳ ହୋଇଥିବା ଅଭିଯୋଗ କରି କକ୍ଷତ୍ୟାଗ କରିଥିଲେ।

Dharitri – The Largest & Most Trusted Odia Daily