ବେକାରଙ୍କୁ ଲିଙ୍କ୍ଡଇନ୍‌ ମାଧ୍ୟମରେ ନିଯୁକ୍ତି ପ୍ରଦାନ କରିବାକୁ ସରକାରଙ୍କ ଯୋଜନା…

ନୂଆଦିଲ୍ଲୀ, ୫।୫ : ବୃତ୍ତିଗତ ସୋସିଆଲ ନେଟୱାର୍କିଂ ସାଇଟ ଲିଙ୍କ୍ଡଇନ୍‌ ମାଧ୍ୟମରେ ଦେଶର ବେକାର ଯୁବବର୍ଗଙ୍କୁ ନିଯୁକ୍ତି ପ୍ରଦାନ କରିବା ପାଇଁ ସରକାର ଖୁବ ଶୀଘ୍ର ବ୍ୟବସ୍ଥା କରିବାକୁ ଯାଉଛନ୍ତି। ଲିଙ୍କ୍ଡଇନ୍‌ ହେଉଛି ଏକ ସାଇଟ ଯାହା ବୃତ୍ତିଗତ ଲୋକଙ୍କ ସହ ଯୋଡିହେବା, ଚାକିରି ପାଇବା ପାଇଁ ବ୍ୟବହୃତ ହୋଇଥାଏ। ଦେଶରେ ବେକାରଙ୍କୁ ନିଯୁକ୍ତି ଯୋଗାଇବା ପାଇଁ ସରକାର ଏଭଳି ଏକ ସ୍ବଦେଶୀ ପୋର୍ଟାଲ ପ୍ରସ୍ତୁତ କରୁଛନ୍ତି, ଯେଉଁଠାରେ ନିଯୁକ୍ତିଦାତା ପ୍ରାର୍ଥୀଙ୍କ ବିଷୟରେ ସମ୍ପୂର୍ଣ୍ଣ ସୂଚନା ପାଇପାରିବେ।

ନ୍ୟୁଜ୍‌ ଏଜେନ୍ସି ହିନ୍ଦୁସ୍ଥାନ ସୂଚନା ଅନୁଯାୟୀ, ୪ ଟି ବିଭିନ୍ନ ପୋର୍ଟାଲର ତଥ୍ୟକୁ ଏକତ୍ର କରିବା ଦିଗରେ ସରକାର ଦ୍ରୁତ ଗତିରେ କାର୍ଯ୍ୟ କରୁଛନ୍ତି। ଏସବୁ ଇଣ୍ଟିଗ୍ରେଟେଡ ଡାଟା ନ୍ୟାଶନାଲ କ୍ୟାରିଅର୍‌ ସର୍ଭିସ ପୋର୍ଟାଲରେ ପ୍ରଦର୍ଶିତ ହେବ। କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ଭୁପେନ୍ଦ୍ର ଯାଦବଙ୍କ ଅନୁଯାୟୀ, ନୂତନ ସିଷ୍ଟମ ମାଧ୍ୟମରେ ଲୋକଙ୍କୁ ନିଯୁକ୍ତ ପ୍ରଦାନ ପୂର୍ବରୁ ସେମାନଙ୍କ ଯୋଗ୍ୟତା ବିଷୟରେ ସମ୍ପୂର୍ଣ୍ଣ ସୂଚନା ନିଯୁକ୍ତିଦାତାଙ୍କ ନିକଟରେ ପହଞ୍ଚିବା ଆରମ୍ଭ କରିବ।

ଫଳରେ ଉପଯୁକ୍ତ ପ୍ରାର୍ଥୀ ଖୋଜିବା ଏହା ଦ୍ୱାରା ସହଜ ହେବ ଏବଂ ଚାକିରୀ ଖୋଜୁଥିବା ବ୍ୟକ୍ତିଙ୍କ ପାଇଁ ଏକ ସୁଯୋଗ ଉପଲବ୍ଧ ହେବ। ଚାକିରି ଖୋଜୁଥିବା ସମସ୍ତ ତଥ୍ୟ ଗୋଟିଏ ପ୍ଲାଟଫର୍ମରେ ଉପଲବ୍ଧ ହୋଇ ପାରିବ।

 

୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ବଜେଟରେ ୪ ଟି ବିଭିନ୍ନ ପୋର୍ଟାଲକୁ ଏକୀକୃତ କରିବା ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଯୋଜନା ଘୋଷଣା କରିଥିଲେ। ଏହା ଅନ୍ତର୍ଗତ ଛୋଟ ବ୍ୟବସାୟୀଙ୍କ ସହ ଜଡିତ ପୋର୍ଟାଲ ଉଦ୍ୟୋଗଗୁଡିକର ତଥ୍ୟ, ଅସଂଗଠିତ କ୍ଷେତ୍ର ସହିତ ଜଡିତ ଶ୍ରମିକମାନଙ୍କର ଇ-ଶ୍ରମ ପୋର୍ଟାଲ, ନିଯୁକ୍ତି ସହ ଜଡିତ ଜାତୀୟ କ୍ୟାରିଅର୍‌ ସର୍ଭିସ ପୋର୍ଟାଲ ଏନସିଏସ ଏବଂ ଆତ୍ମନିର୍ଭରଶୀଳ ସ୍କିଲ ଏମ୍ପ୍ଲଇ-ଏମ୍ପ୍ଲୟର୍‌ ମ୍ୟାପିଂ ପୋର୍ଟାଲକୁ ଯୋଡ଼ା ଯିବା ସମ୍ପର୍କରେ ଗୁରୁତ୍ୱାରୋପ କରାଯାଇଥିଲା।

ଶ୍ରମ ମନ୍ତ୍ରଣାଳୟର କହିବାନୁସାରେ, ସମସ୍ତ ପୋର୍ଟାଲଗୁଡ଼ିକର ତଥ୍ୟ ଏକ ସ୍ଥାନରେ ଏକତ୍ରିତ ହେବ। ସମ୍ପ୍ରତି ନ୍ୟାଶନାଲ କ୍ୟାରିୟର ପୋର୍ଟାଲରେ ୧.୮୭ ଲକ୍ଷରୁ ଅଧିକ ନିଯୁକ୍ତିଦାତା ପଞ୍ଜିକୃତ ହୋଇଛନ୍ତି ଏବଂ ବହୁ ସଂଖ୍ୟକ ଚାକିରୀ ଆଶାୟୀ ମଧ୍ୟ ଏହି ପୋର୍ଟାଲରେ ନିଜ ତଥ୍ୟ ପ୍ରଦାନ କରିଛନ୍ତି।

ସରକାର କହିଛନ୍ତି ଯେ ଚାକିରୀ ପ୍ରଦାନକାରୀଙ୍କ ସହିତ ଆଶାୟୀ ମଧ୍ୟ ରହିଛନ୍ତି। କିନ୍ତୁ କିଛି କାରଣରୁ ଉଭୟ ଚାକିରୀ ଖୋଜୁଥିବା ତଥା ପ୍ରଦାନକାରୀଙ୍କ ସନ୍ଧାନ ଅସମ୍ପୂର୍ଣ୍ଣ ରହିଯାଉଛି। ଦକ୍ଷତାକୁ ପ୍ରୋତ୍ସାହିତ କରିବା ଏବଂ ନିଯୁକ୍ତିଦାତାଙ୍କ ପାଖରେ ଆଶାୟୀଙ୍କ ସୂଚନା ପହଞ୍ଚାଇବା ଲାଗି ସରକାର ଏଭଳି ଯୋଜନା କରିଛନ୍ତି।

Share