ଗଜପତି,୧।୧୨(ଗିରିଧାରୀ ପରିଛା): ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡି ସହରର ବହୁ ପ୍ରତୀକ୍ଷିତ ବାଇପାସ୍ ରାସ୍ତା ନିର୍ମାଣ ପ୍ରସଙ୍ଗରେ ସୋମବାର ଓଡିଶା ବିଧାନସଭାରେ ସରକାର ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ପାରଳାଖେମୁଣ୍ଡି ବିଧାୟକ ଇଂ. ରୁପେଶ କୁମାର ପାଣିଗ୍ରାହୀ ଶୀତକାଳୀନ ଅଧିବେଶନରେ ପୁଣି ଥରେ ଏହି ଦାବି ଉଠାଇଥିଲେ।
ସରକାରଙ୍କ ତରଫରୁ ଉତ୍ତର ଦିଆଯାଇଛି ଯେ, ବର୍ତ୍ତମାନ ଜମି ଅଧିଗ୍ରହଣ କାର୍ଯ୍ୟ ଆରମ୍ଭ ହୋଇଛି, ଯାହା ଆସନ୍ତା ଛଅ ମାସ ମଧ୍ୟରେ ଶେଷ ହେବ। ଏହା ପରବର୍ତ୍ତୀ ଛଅ ମାସ ମଧ୍ୟରେ ବାଇପାସ୍ ରାସ୍ତା ନିର୍ମାଣ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି।
ବିଧାୟକ ପାଣିଗ୍ରାହୀ ବହୁ ବର୍ଷର ଏହି ଦାବିକୁ ସରକାର ଗ୍ରହଣ କରିବାକୁ ନିବେଦନ କରିଥିଲେ। ଏହି ବାଇପାସ୍ ରାସ୍ତା ନିର୍ମାଣ ହେଲେ ସହରର ଟ୍ରାଫିକ୍ ସମସ୍ୟା ଦୂର ହେବା ସହ ବିକାଶରେ ସହାୟକ ହେବ।
ନିକଟରେ ଜିଲା ଗସ୍ତରେ ଆସିଥିବା ମନ୍ତ୍ରୀମାନଙ୍କୁ ମଧ୍ୟ ପାରଳାବାସୀ ଏହି ପ୍ରସଙ୍ଗରେ ଜଣାଇଥିଲେ। ବିଧାନସଭାରେ ବିଧାୟକ ପାଣିଗ୍ରାହୀଙ୍କ ବାରମ୍ବାର ଉଦ୍ୟମକୁ ଅଞ୍ଚଳବାସୀ ଖୁସିର ସହ ପ୍ରଶଂସା କରିଛନ୍ତି।