ସରକାରଙ୍କ ବଡ଼ ନିଷ୍ପତ୍ତି: ଏହି ସବୁ ଜିଲାରେ ଖୋଲିବ ପୋକ୍‌ସୋ କୋର୍ଟ

ଭୁବନେଶ୍ୱର,୩୦।୧୧(ସୁନିତ୍‌ ମିଶ୍ର): ରାଜ୍ୟ ସରକାର ନାବାଳକ ପିଲାମାନଙ୍କୁ ଯୌନ ଶୋଷଣରୁ ସୁରକ୍ଷା ଦେବା ପାଇଁ ପ୍ରୋଟେକ୍‌ଶନ ଅଫ୍‌ ଚିଲ୍‌ଡ୍ରେନ୍‌ ଫର୍‌ ସେକ୍ସୁଆଲ ଅଫେନ୍ସ (ପୋକ୍‌ସୋ) ଆକ୍ଟ ଜରିଆରେ ଆଉ ୧୫ଟି ସ୍ବତନ୍ତ୍ର ଅଦାଲତ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ବିଧାନସଭାରେ ସଦସ୍ୟ ଚକ୍ରମଣି କହଁରଙ୍କ ଏକ ପ୍ରଶ୍ନର ଉତ୍ତରରେ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ଯେ, ଆସନ୍ତା ଆର୍ଥତ୍କ ବର୍ଷ ଏହି କୋର୍ଟ ଖୋଲିବା ଲାଗି ରାଜ୍ୟ ସରକାର ଉଚ୍ଚସ୍ତରୀୟ କମିଟିକୁ ଏକ ପ୍ରସ୍ତାବ ଦେବେ। ବାଲେଶ୍ୱର, ଭଦ୍ରକ, କଟକ, ବ୍ରହ୍ମପୁର, ଯାଜପୁର, କେନ୍ଦୁଝର, ଭୁବନେଶ୍ୱର, ବାରିପଦା, ଫୁଲବାଣୀ, ପୁରୀ, ସମ୍ବଲପୁର, ସୁନ୍ଦରଗଡ଼, ଦେବଗଡ଼, ମାଲକାନାଗିରି ଓ ସୋନପୁରରେ ଏହି କୋର୍ଟ ଖୋଲିବ।

ମନ୍ତ୍ରୀ ହରିଚନ୍ଦନ ଆହୁରି କହିଛନ୍ତି, ଉଚ୍ଚ ନ୍ୟାୟାଳୟଙ୍କ ଅନୁମୋଦନକ୍ରମେ ରାଜ୍ୟର ବିଭିନ୍ନବ୍ଲକ୍‌ରେ ଗୋଟିଏ ଲେଖା ସିଭିଲ ଜଜ୍‌-କମ୍‌-ଜେଏମ୍‌ଏଫ୍‌ସି କୋର୍ଟ ଖୋଲିବା ଲାଗି ସରକାର ନିଷ୍ପତ୍ତି ନେଇଛନ୍ତି। ଏହା ବ୍ୟତୀତ ଉଚ୍ଚ ନ୍ୟାୟାଳୟ ନୟାଗଡ଼ ଜିଲାର ଖଣ୍ଡପଡ଼ାଠାରେ ଗୋଟିଏ ଅତିରିକ୍ତ ଜିଲା ଓ ସେସନ୍‌ ଜଜ୍‌ କୋର୍ଟ ଖୋଲିବାକୁ ଅନୁମୋଦନ ଦେଇସାରିଛନ୍ତି। ସେହିପରି ବରଗଡ଼ର ଅତାବିରା, ଭଦ୍ରକର ଭଣ୍ଡାରିପୋଖରୀ, ବାଲେଶ୍ୱରର ରେମୁଣା, ବଲାଙ୍ଗୀରର ଦେଓଗାଁ ଏବଂ ପୁଇଁତଳା, ଦେବଗଡ଼ର ନଈକୂଳ, ଢେଙ୍କାନାଳର ଓଡ଼ାପଡ଼ା, ଗଞ୍ଜାମର ରଙ୍ଗେଇଲୁଣ୍ଡା, ଜଗତ୍‌ସିଂହପୁରର ବିରିଡ଼ି, ରଘୁନାଥପୁର, ଯାଜପୁରର ଦଶରଥପୁର, କେନ୍ଦ୍ରାପଡ଼ାର ଡେରାବିଶ, ମାଲକାନଗିରିର କୋରକୁଣ୍ଡା, ମୟୂରଭଞ୍ଜର ସାମାଖୁଣ୍ଟା ଓ କୁଳିଅଣା, ନବରଙ୍ଗପୁରର ନନ୍ଦାହାଣ୍ଡି, ତେନ୍ତୁଳିଖୁଣ୍ଟି ଓ ପାପଡ଼ାହାଣ୍ଡି, ନୟାଗଡ଼ର ନୂଆଗାଁ, ପୁରୀର ବ୍ରହ୍ମଗିରି, ସମ୍ବଲପୁରର ଧନକୋଉଡ଼ା ଓ ମାନେଶ୍ୱର ଏବଂ ସୁନ୍ଦରଗଡ଼ର ସବ୍‌ଡେଗା ଓ ଟାଙ୍ଗରପାଲିଠାରେ ସିଭିଲ ଜଜ୍‌-କମ୍‌-ଜେଏମ୍‌ଏଫ୍‌ସି କୋର୍ଟ ଖୋଲିବ। ସେହିପରି ଖାଲିଥିବା ବିଚାରପତି ପଦବୀଗୁଡିକ ପୂରଣ ଲାଗି ଉଚ୍ଚ ନ୍ୟାୟାଳୟ ବିହିତ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ମନ୍ତ୍ରୀ ହରିଚନ୍ଦନ ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି।

Dharitri – Odisha’s No.1 Odia Daily