ଦାରିଙ୍ଗବାଡି, ୨୭।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିଆଙ୍ଗବାଲି ପଞ୍ଚାୟତ କିସୁବାଡ଼ି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଜମି ମାଲିକ ତାଲା ପକାଇବା ଘଟଣା ଖବର ପ୍ରକାଶିତ ପରେ ତହସିଲଦାର ଧୀରୋଜ ପାତ୍ର ପହଞ୍ଚି ସମସ୍ୟାର ଆଶୁ ସମାଧାନ କରିଛନ୍ତି। ଜମି ମାଲିକ ସନମାଳୀ ପ୍ରଧାନଙ୍କ ସହ ଆଲୋଚନା କରିବା ସହ ନୂତନ ବିଦ୍ୟାଳୟ ହେବା ପର୍ଯ୍ୟନ୍ତ ବିଦ୍ୟାଳୟର ତାଲା ଖୋଲିଦେବାକୁ ନିବେଦନ କରିଥିଲେ। ଏଥିରେ ଜମି ମାଲିକ ୨ ମାସ ମଧ୍ୟରେ ନୂତନ ବିଦ୍ୟାଳୟ କୋଠା ନିର୍ମାଣ କାର୍ଯ୍ୟ ଆରମ୍ଭ ନ କଲେ ପୁଣି ତାଲା ପକାଇଦେବି ବୋଲି ଜମି ମାଲିକ ତହସିଲଦାରଙ୍କୁ ଚେତାବନୀ ଦେଇଥିଲେ। ଏଥିରେ ତହସିଲଦାର ସହମତି ପ୍ରକାଶ କରିବା ପରେ ବିଦ୍ୟାଳୟକୁ ତାଲା ପକାଯାଇଥିବା ମୁଖ୍ୟ ଫାଟକ ସମେତ ଶ୍ରେଣୀ କୋଠାର ତାଲାକୁ ଜମି ମାଲିକ ଖୋଲି ଦେଇଛନ୍ତି। ଏହି ତାଲା ଖୋଲିବା ସମୟରେ ତହସିଲଦାର ଧୀରୋଜ ପାତ୍ର, ଏବିଇଓ ଗୋକୁଳାନନ୍ଦ ନାୟକ, ରାଜସ୍ବ ନିରୀକ୍ଷକ ସୁବ୍ରତ ମଲିକ, ସିଆରସିସି ଅଜିତ ବେହେରଦଳାଇ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମହେଶ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।
ପ୍ରକାଶ ଯେ, ସନମାଳୀ ପ୍ରଧାନଙ୍କ ନାମରେ ଜମି ପଟ୍ଟା ରହିଥିବାବେଳେ ଦୀର୍ଘ ବର୍ଷ ହେଲା ଉକ୍ତ ଜମିରେ ସରକାର ଏକ ପ୍ରାଥମିକ ବିଦ୍ୟାଳୟ ଖୋଲିବା ସହ ପ୍ରଥମରୁ ପଞ୍ଚମ ପିଲାଙ୍କୁ ଶିକ୍ଷାଦାନ କରାଯାଉଥିଲା। ଏନେଇ ଜମି ମାଲିକ ଜିଲା ପ୍ରଶାସନର ଦ୍ୱାରସ୍ଥ ହେବା ସହ ସ୍ବତନ୍ତ୍ର କୋର୍ଟରେ ଅଭିଯୋଗ କରିଥିଲେ। ଗତ ଅକ୍ଟୋବର ରେ ତାଙ୍କ ଜମି ଫେରେଇଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଶିକ୍ଷା ବିଭାଗର ଅବହେଳା ଯୋଗୁ ପ୍ରକୃତ ଜମି ମାଲିକ ତାଙ୍କ ଜମି ଫେରି ପାଇ ନ ଥିଲେ। ସେ ଶୁକ୍ରବାର ବିଇଓଙ୍କ ନିକଟକୁ ତାଲା ପକାଇବାକୁ ଏକ ଚିଠି କରିବା ସହ ଶନିବାର ସକାଳୁଆ ବିଦ୍ୟାଳୟ ଚାଲିଥିବା ବେଳେ ଜମି ମାଲିକ ପହଞ୍ଚି ବିଦ୍ୟାଳୟରୁ ଛାତ୍ରୀଛାତ୍ର, ଶିକ୍ଷକଙ୍କୁ ବାହାରକୁ ବାହାର କରି ତାଲା ପକାଇଦେଇଥିଲେ। ଏନେଇ ତହସିଲଦାର କହିଛନ୍ତି, ନୂତନ ବିଦ୍ୟାଳୟ ନିର୍ମାଣ ପାଇଁ ଜମି ଚି଼ହ୍ନଟ କରାଯାଇଛି। ବିଇଓଙ୍କ ପଦକ୍ଷେପ ଓ ବିଡ଼ିଓଙ୍କ ହସ୍ତକ୍ଷେପରେ ନୂତନ କୋଠା ଶୀଘ୍ର ନିର୍ମାଣ କରାଯିବ ବୋଲି ତହସିଲଦାର କହିଛନ୍ତି।