ଜଗନ୍ନାଥ ମନ୍ଦିରରେ ସରକାରୀ ଯୋଜନାରେ ଚଞ୍ଚକତା ଅଭିଯୋଗ: କମିଟି ଓ ଗ୍ରାମବାସୀ ବଡିଓଙ୍କ ଦ୍ୱାରସ୍ଥ

ଦାରିଙ୍ଗବାଡି,୨୮।୯(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ଜଗନ୍ନାଥ ମନ୍ଦିରରେ ସରକାରୀ ଯୋଜନାକୁ ଚଞ୍ଚକତା କରୁଥିବା ନେଇ ସ୍ଥାନୀୟ ଗ୍ରାମବାସୀ ଏବଂ ଜଗନ୍ନାଥ ପରିଚାଳନା କମିଟିର ଏକାଧିକ କର୍ମକର୍ତ୍ତା ବଡିଓଙ୍କ ଦ୍ୱାରସ୍ଥ ହୋଇଛନ୍ତି।
ସେମାନଙ୍କ ଅଭିଯୋଗ ହେଲା ପୂର୍ବତନ ସରକାରଙ୍କ ସମୟରେ ଆମ ଓଡିଶା, ନବୀନ ଓଡିଶା ଯୋଜନାରେ ୯ ଲକ୍ଷ ଟଙ୍କା ରାଜ୍ୟ ସରକାର ଅନୁଦାନ ଦେଇଥିଲେ। କିନ୍ତୁ ଅତି ନିମ୍ମମାନର କାର୍ଯ୍ୟ କରାଯିବା ସହ ଜଗନ୍ନାଥ ପରିଚାଳନା କମିଟି ଓ ଗ୍ରାମବାସୀଙ୍କ ବିନା ପରାମର୍ଶରେ ମନ୍ଦିରର ବିକାଶ କାର୍ଯ୍ୟ କରାଯାଇଥିବା ଓ ଏହାକୁ ପରିଚାଳନା କମିଟିର ସଭାପତି ଏବଂ ସମ୍ପାଦକ ଚଞ୍ଚକତା କରି ମନ୍ଦିରର ସମସ୍ତ ଉନ୍ନୟନ କାର୍ଯ୍ୟକୁ ଅତି ନିମ୍ମମାନର କାର୍ଯ୍ୟ କରିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏବେ ଭାଜପା ସରକାର ଆସିବା ପରେ ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନାରେ ଉକ୍ତ ମନ୍ଦିରକୁ ପାଖାପାଖି ୫ ଲକ୍ଷ ୯୫ ହଜାର ଟଙ୍କା ଅନୁଦାନ ଆସିଥିବା ବେଳେ ପୂର୍ବ କାର୍ଯ୍ୟ ଓ ବିଭିନ୍ନ ଶ୍ରଦ୍ଧାଳୁମାନେ ଦେଇଥିବା ଅନୁଦାନରେ କରାଯାଉଥିବା କାର୍ଯ୍ୟକୁ ଦେଖାଇ ମିଥ୍ୟା ବିଲ୍‌କରି ଅର୍ଥ ଆତ୍ମସାତ କରିବାକୁ ପରିଚାଳନା କମିଟିର ସମ୍ପାଦକ ଏବଂ ସଭାପତି ଷଡଯନ୍ତ୍ର କରୁଥିବାନେଇ ଅଭିଯୋଗ ହୋଇଛି। ବିନା ଗ୍ରାମବାସୀଙ୍କ ଜ୍ଞାତରେ ମନ୍ଦିରର ବିକାଶ କାର୍ଯ୍ୟ କରାନଯିବାକୁ ଅଭିଯୋଗ ପତ୍ର ରେ ଉଲ୍ଲେଖ କରାଯାଇଛି।
ସେମାନେ ଆହୁରି ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, କମିଟିର ସମ୍ପାଦକ ଦାୟିତ୍ୱରେ ଥିବା ବ୍ୟକ୍ତି ଜଣକ ଜଣେ ସରକାରୀ କର୍ମଚାରୀ ତେଣୁ କମିଟିରୁ ତାଙ୍କୁ ସମ୍ପୂର୍ଣ୍ଣ ଦାୟିତ୍ୱରୁ ନିବୃତ କରାଯିବା ପାଇଁ ବିଡିିଓ ଏବଂ ବିଇଓଙ୍କୁ ଅଭିଯୋଗ ପତ୍ର ଦିଆଯାଇଛ। ସରକାରଙ୍କ ଯୋଜନା ଅର୍ଥକୁ ଗ୍ରାମବାସୀ ଉକ୍ତ ମନ୍ଦିରରେ ଯେଉଁ ବାବଦରେ ବିନିଯୋଗ କରିବାକୁ ଚାହିଁବେ ସମସ୍ତଙ୍କ ଜ୍ଞାତସାରରେ କରାଯିବାକୁ ଦାବି ହୋଇଛି ।
ସେହିପରି ମନ୍ଦିରକୁ ବହୁ ଶ୍ରଦ୍ଧାଳୁ ଅର୍ଥଦାନ କରିଛନ୍ତି। ମନ୍ଦିରକୁ ଶ୍ରଦ୍ଧାଳୁମାନେ ଦେଇଥିବା ଦାନ ଅର୍ଥର ହିସାବ କମିଟିର ସମସ୍ତ ସଦସ୍ୟ ଓ ଗ୍ରାମବାସୀଙ୍କୁ ପ୍ରଦାନ ପାଇଁ ଅଭିଯୋଗ ପତ୍ରରେ ଦାବି ହୋଇଛି।