ତୁମୁଡିବନ୍ଧ,୧୦।୪(ଦୀପକ କୁମାର ପରାସେଠ): ବିଏସଏନଏଲ କେବୁଲ ବିଛା ପାଇଁ ରାସ୍ତା ଖୋଳାଯିବା ଫଳରେ ଯାତାୟାତରେ ବାଧା। ଜାଣିନାହାନ୍ତି ବିଭାଗୀୟ ଅଧିକାରୀ। ଗ୍ରାମବାସୀଙ୍କ ବିରୋଧ। ଧମକ ଦେଉଛି ଠିକାଦାର। ଏପରି ଘଟଣା କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ସିର୍ଲା ପଞ୍ଚାୟତର ଟେକଲା ମିଲା ଘାଟିରେ ଆଜି ଶୁକ୍ରବାର ଦେଖିବାକୁ ମିଳିଛି।
ସୂଚନା ପ୍ରକାରେ, ତୁମୁଡିବନ୍ଧ ବ୍ଲକ ସିର୍ଲା ପଞ୍ଚାୟତର ଅଧା ଗ୍ରାମ ଓ କୋଟଗଡ଼ ବ୍ଲକର ପାରିଗଡ଼ ପଞ୍ଚାୟତକୁ ସଂଯୋଗ କରୁଥିବା ଏହା ଏକ ମାତ୍ର ରାସ୍ତା ଅଟେ। ଟେକଲା ମିଲା ଘାଟି ଦେଇ ଉକ୍ତ ଦୁଇଟି ପଞ୍ଚାୟତକୁ ସଂଯୋଗ କରିଛି ଏହି ରାସ୍ତା। ହେଲେ ସେହି ଘାଟି ଜାଗାରେ ରାସ୍ତା ଅଣ ଓସାରିଆ ହୋଇଛି। ଉକ୍ତ ଅଣଓସାରିଆ ରାସ୍ତାରେ କେବୁଲ ବିଛାଇବା ପାଇଁ ଖୋଳି ଦିଆଯାଇଛି। ଯାହା ଫଳରେ ଦୁଇଟି ପଞ୍ଚାୟତକୁ ଯାତାୟାତରେ ଅସୁବିଧା ହେଉଛି। ଏହାକୁ ନେଇ ଗ୍ରାମବାସୀମାନେ ବିରୋଧ କରିବାରୁ ଠିକାଦାର ତାକୁ ବେଖାତିରି କରି ଓଲଟି ଧମକ ଦେଉଛି। ବିଭାଗୀୟ ଅଧିକାରୀଙ୍କ ଅଜଣାତରେ ଚାଲିଛି ଏହି ରାସ୍ତା ଖୋଳା କାର୍ଯ୍ୟ। ରାସ୍ତା ପାଶର୍ବରୁ ସାଢେ ପାଞ୍ଚ ଫୁଟ ଦୂରତାରେ ଏହି କାର୍ଯ୍ୟ କରିବା ପାଇଁ ସରକାରୀ ନିର୍ଦ୍ଦେଶ ରହିଛି ଏବଂ ସରକାରୀ ନିୟମ ଅନୁସାରେ କେବୁଲ ବିଛା କାର୍ଯ୍ୟ ନକରି ମନ ମୁତାବକ କରି ଚାଲିଛନ୍ତି ଠିକାଦାର। ଏପରି ସବୁ ନିର୍ଦ୍ଦେଶକୁ ବେଖାତିରି କରି ରାସ୍ତା ଖୋଳିବାରୁ ଦୁଇ ପଞ୍ଚାୟତର ଗ୍ରାମବାସୀମାନେ ଯିବା ଆସିବାରେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ତେବେ ଏହି ବାବଦରେ ଟେକଲା ମିଲା ଗ୍ରାମର ୱାର୍ଡମେମ୍ବର ସୁଶୀଲ ପାଟ ମାଝୀଙ୍କୁ ପଚାରିବାରୁ ସେ ଏହା ଘାଟି ଜାଗାର ଅଣଓସରିଆ ରାସ୍ତା ହୋଇଥିବାରୁ ରାସ୍ତାରୁ ପାର୍ଶ୍ୱଠାରୁ ସାଢେ ପାଞ୍ଚ ଫୁଟ ଛାଡି ଖୋଳି କେବୁଲ ବିଛାଇ କାମ କରିବା କଥା, କିନ୍ତୁ ଠିକାଦାର ପୁରା ରାସ୍ତାକୁ ମିଶାଇ ଖୋଳି ଚାଲିଛି। ଯାହା ଫଳରେ ଯାତାୟାତରେ ଅସୁବିଧା ହେବା ସହିତ ୧୦୮ ଆମ୍ବୁଲାନ୍ସ ମଧ୍ୟ ଆସି ପାରୁନାହିଁ। ବର୍ଷା ଦିନେ ଖୋଳା ଯାଇଥିବା ରାସ୍ତା ଧୋଇ ହୋଇ ଯାତାୟାତରେ ବନ୍ଦ ହୋଇଯିବ ବୋଲି ଅଭିଯୋଗ କରି କହିଛନ୍ତି। ସିର୍ଲା ସରପଞ୍ଚ ନୁସୁଙ୍ଗା ପାଟ ମାଝୀଙ୍କୁ ପଚାରିବାରୁ ସେ କହିଛନ୍ତି, ସରକାରଙ୍କ ନିର୍ଦ୍ଦେଶକୁ ପୁରା ବେଖାତିରି କରି ନିଜ ସୁବିଧା ଅନୁସାରେ ରାସ୍ତା ଖୋଳି କାର୍ଯ୍ୟ କରି ଚାଲିଛି ଠିକାଦାର। ଯାହା ଫଳରେ ଆମେ ଦୁଇ ପଞ୍ଚାୟତର ଗ୍ରାମବାସୀମାନେ ଯାତାୟାତରେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛୁ।ତୁରନ୍ତ ବିଭାଗୀୟ ଅଧିକାରୀ ଉକ୍ତ ବାବଦରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ନଚେତ ଆନ୍ଦୋଳନ କରିବୁ ବୋଲି କହିଛନ୍ତି। ଏହି ବାବଦରେ ଗ୍ରାମ୍ୟ ଉନ୍ନୟନ ବିଭାଗର ଯନ୍ତ୍ରୀ ଶିବ ନାରାୟଣ ସେଠୀଙ୍କୁ ପଚାରିବାରୁ ସେ ସମ୍ପୃକ୍ତ ଠିକାଦାର ଆମ ବିଭାଗକୁ ଚିଠି ମଧ୍ୟରେ ଜଣାଇ ନାହାନ୍ତି କି ବିଭାଗ ପକ୍ଷରୁ ଅନୁମତି ନେଇ ନାହିଁ ବୋଲି କହିଛନ୍ତି।ଏହି ବାବଦରେ ଠିକାଦାରଙ୍କ ମୋବାଇଲ ନମ୍ବରକୁ ଫୋନ କଲେ ମଧ୍ୟ ସେ ଫୋନ ଉଠାଉ ନଥିବା ଜଣାପଡିଛି।