ଔଷଧ ଦୋକାନର ଭ୍ରମ ସୃଷ୍ଟି କରୁଛି ସରକାରୀ ଔଷଧ ଭଣ୍ଡାର , ମିଳୁଛି ସବୁ ପ୍ରକାରର ଔଷଧ

ଦାରିଙ୍ଗବାଡି, ୪।୯ (ଅରୁଣ ସାହୁ ): ରାଜ୍ୟରେ କେହିବି ରୋଗୀସେବାରୁ ବଞ୍ଚିତ ନ ହେବା ପାଇଁ ସରକାର ପ୍ରତି ପଞ୍ଚାୟତରେ ଆରୋଗ୍ୟ କେନ୍ଦ୍ର ସମେତ ପ୍ରାଥମିକ ଚିକିତ୍ସା କେନ୍ଦ୍ର, ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ର ଆଦି କରି ରୋଗୀଙ୍କୁ ପ୍ରାଥମିକ ସ୍ବାସ୍ଥ୍ୟସେବା ଯୋଗାଇଦେଉଛନ୍ତି। ଏଥିପାଇଁ ସମସ୍ତ ଆରୋଗ୍ୟ କେନ୍ଦ୍ରରେ ମାଗଣା ଚିକିତ୍ସା ସେବା ଓ ମାଗଣା ଔଷଧ ବଣ୍ଟନ ବ୍ୟବସ୍ଥା କରିଛନ୍ତି।

ଏଇଭଳି ନିୟମିତ ଔଷଧ ଖାଉଥିବା ରୋଗୀ ତଥା ଉଚ୍ଚ ରକ୍ତଚାପ, ଡାଇବେଟିକ, ଶିକଲସେଲ ରୋଗୀଙ୍କ ପାଇଁ ମଧ୍ୟ ନିୟମିତ ମାଗଣା ଔଷଧର ବ୍ୟବସ୍ଥା କରିଥିବାବେଳେ ଏହା କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ରହିଥିବା ଆରୋଗ୍ୟକେନ୍ଦ୍ର ଗୁଡିକରେ ମାଗଣା ଚିକିତ୍ସା ସହ ମାଗଣା ଔଷଧ ପ୍ରଦାନ କରାଯାଉଛି। ଉକ୍ତ ବ୍ଲକ ସିମନବାଡି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ମାଗଣା ଔଷଧ ବଣ୍ଟନ ପାଇଁ ଭଣ୍ଡାର ଭର୍ତ୍ତି ହୋଇରହିଛି ଯାହାକି ଘରୋଇ ଔଷଧ ଦୋକାନର ଭ୍ରମ ସୃଷ୍ଟି କରୁଛି। ସବୁପ୍ରକାର ଔଷଧ ବଣ୍ଟନ ବ୍ୟବସ୍ଥା ରହିଛି। ସେହିପରି କିରିକୁଟି, ବୁଡ଼ାଗୁଡା, ଦାରିଙ୍ଗବାଡି ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ର, ଗଦାପୁର, ବ୍ରାହ୍ମଣୀଗାଁ, ସିକରମାହା ଆଦି ଆରୋଗ୍ୟକେନ୍ଦ୍ରଗୁଡିକରେ ମଧ୍ୟ ଲୋକଙ୍କୁ ମାଗଣା ଔଷଧ ମିଳୁଛି। ଏନେଇ ସରକାରୀ ଔଷଧ ପ୍ରତି ରୋଗୀଙ୍କ ଆସ୍ଥା ବୃଦ୍ଧି ପାଉଥିବା ଜଣାପଡିଛି।