ଚାଷୀଙ୍କ ସମସ୍ୟାକୁ ଅଣଦେଖା କରୁଛନ୍ତି ସରକାର…

ନୂଆଦିଲ୍ଲୀ,୮।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଚାଷୀଙ୍କ ପ୍ରତି ସମ୍ବେଦନଶୀଳ ନୁହନ୍ତି। ଚାଷୀଙ୍କ ସମସ୍ୟାକୁ ସରକାର ଅଣଦେଖା କରୁଛନ୍ତି ବୋଲି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କହିଛନ୍ତି। ସଂସଦୀୟ ଦଳ ବୈଠକରେ ସୋନିଆ ଏଭଳି କହି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଦେଶର ସମ୍ପତ୍ତି ବିକ୍ରୟ ପାଇଁ ସରକାର କାର୍ଯ୍ୟ କରୁଛନ୍ତି ବୋଲି ସୋନିଆ ଗାନ୍ଧୀ ଅଭିଯୋଗ ଆଣିଛନ୍ତି।

ସୀମା ବିବାଦ ସମ୍ପର୍କରେ ସେ କହିଛନ୍ତି ଯେ ବିରୋଧୀ ଦଳ ସୀମାରେ ଥିବା ଅସୁରକ୍ଷିତତା ଉପରେ ଆଲୋଚନା କରିବାକୁ ଚାହୁଁଛନ୍ତି, କିନ୍ତୁ ସରକାର ଏଥିପାଇଁ ପ୍ରସ୍ତୁତ ନୁହଁନ୍ତି। ସେ କେନ୍ଦ୍ର ସରକାରଙ୍କ ମୁଦ୍ରାସ୍ଫୀତି ଏବଂ ବିମୁଦ୍ରୀକରଣ ନୀତିରେ କଡ଼ା ସମାଲୋଚନା ମଧ୍ୟ କରିଛନ୍ତି। ଦିନକୁ ଦିନ ବୃଦ୍ଧି ପାଉଥିବା ମୁଦ୍ରାସ୍ଫୀତି ପରିବାରର ମାସିକ ବଜେଟକୁ ନଷ୍ଟ କରୁଛି ବୋଲି ସେ କହିଛନ୍ତି।

ରାଜ୍ୟସଭାରେ ୧୨ ଜଣ ଏମ୍‌ପିଙ୍କ ନିଲମ୍ବନକୁ ଅନ୍ୟାୟ ବୋଲି ସୋନିଆ ଗାନ୍ଧୀ କହିଛନ୍ତି। ଏହା ସହିତ, ସେ ବିରୋଧ କରୁଥିବା ଚାଷୀଙ୍କ ନେଇ କହିଛନ୍ତି ଯେ, ବଳିଦାନ ଦେଇଥିବା ୭୦୦ ଚାଷୀଙ୍କୁ ସରକାର ସମ୍ମାନିତ କରିବା ଆବଶ୍ୟକ।

Share