ଗଜପତି,୨୮।୧୧(ଗିରିଧାରୀ ପରିଛା): ଗଜପତି ଜିଲା ଗୋଷାଣି ବ୍ଲକ ଗାରାବନ୍ଧ ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ଗ୍ରାମ ଛକ ନିକଟରେ ଚଳିତ ମାସ ନଭେମ୍ବର ୩ ତାରିଖ ରାତ୍ର ୧୦. ୩୦ ସମୟରେ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ଲକ୍ଷାଧିକ ଟଙ୍କା ଲୁଟପାଟ ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛି ଗାରାବନ୍ଧ ପୋଲିସ । ଏହି ଲୁଟେରାଙ୍କ ମଧ୍ୟରେ ଜଣେ ସରକାରୀ କର୍ମଚାରୀ ଥିବାନେଇ ଅଞ୍ଚଳରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।
ଘଟଟଣାରୁ ପ୍ରକାଶ ଯେ, ଚଳିତ ମାସ ନଭେମ୍ବର ୩ ତାରିଖରେ ଏକ ସ୍କୁଟି ଯୋଗେ କାଜୁ ବ୍ୟବସାୟରେ ନିବେଶ ହୋଇଥିବା ଲକ୍ଷାଧିକ ଟଙ୍କା ଧରି ମାଛମରା ଗ୍ରାମର ସୁରେଶ ନାଇଡୁ ନାମକ ବ୍ୟକ୍ତି ଆସୁଥିବାବେଳେ ଲୁଟେରା ଦଳ ପୂର୍ବରୁ ଛକି ମରଣାନ୍ତକ ଆକ୍ରମଣ କରି ଟଙ୍କା ଧରି ଫେରାର୍ ହୋଇଯାଇଥିଲେ । ସୁରେଶ ନାଇଡୁଙ୍କୁ ଅଟକାଇ ଦୁର୍ବୃତ୍ତମାନେ ପ୍ରଥମେ ନିସ୍ତୁକ ମାଡ ମାରିବା ସହ ଏକ କାତିରେ ଚୋଟ ମାରିଥିଲେ । ସୌଭାଗ୍ୟବସତଃ କାତି ଚୋଟଟି ସୁରେଶଙ୍କ ଶରୀରରେ ନବାଜି ତାଙ୍କ ସ୍କୁଟିର ସମ୍ମୁଖ ଭାଗରେ ବାଜିଥିଲା । ଏହାପରେ ସ୍କୁଟି ଡିକି ଚାବି ମାଗିଥିଲେ । ଏଥିରେ ସୁରେଶ ଅମଙ୍ଗ ହୋଇ ନିଜ ହାତରେ ଜାବୁଡି ଧରିଥିଲେ । ତେବେ ଦୁର୍ବୃତ୍ତମାନେ ଚାବି ଛଡାବାକୁ ଯାଇ ସୁରେଶଙ୍କ ଦୁଇ ହାତକୁ କାଠଫାଳିଆରେ ମାରି ହାତ ଏବଂ ଆଙ୍ଗୁଠି ଗୁଡିକ ଭାଙ୍ଗିଦେଇ ଚାବି ଛଡାଇ ନେଇଥିଲେ । ଏହାପରେ ସ୍କୁଟିର ଡିକି ଖୋଲି ଥିବା ଲକ୍ଷାଧିକ ଟଙ୍କା ଲୁଟି ନେଇଥିଲେ । ତେବେ ସୁରେଶଙ୍କ ସହିତ ଅନ୍ୟ ଦୁଇ ଜଣ ଏପରି ଘଟଣା ଦେଖି ଘଟଣାସ୍ଥଳରୁ ଭୟଭୀତ ହୋଇ ଚମ୍ପଟ ମାରିଥିବାର ସେତେବେଳେ ପୋଲିସ ଆଗରେ ସ୍ବୀକାର କରିଥିବାର ଜଣାପଡିଛି ।
ଘଟଣାକୁ ନେଇ ଗାରାବନ୍ଧ ଥାନାରେ ଏମଏସ ପୁରର ପି.ରାମାରାଓ ଲିଖିତ ଅଭିଯୋଗ କରିଥିଲେ । ଯାହାକୁ ନେଇ ଗାରାବନ୍ଧ ଥାନାରେ ୯୨/୨୫ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ ହୋଇଥିଲା । ଲୁଟେରାଙ୍କୁ ଧରିବାପାଇଁ ଥାନା ଅଧିକାରୀ ପ୍ରଶାନ୍ତ ନିସିକାଙ୍କ ତତ୍ବାବଧାନରେ ବିଭିନ୍ନ ଟିମ ଗଠନ କରାଯାଇ ତଦନ୍ତ ଓ ଚଢାଉ କରାଯାଇଥିଲା । ତେବେ ଆଜି ଉଭୟଙ୍କୁ ପୋଲିସ ଧରିବାରେ ସଫଳ ହୋଇଛି । ଗିରଫ ଲୁଟେରା ମାନେ ହେଉଛନ୍ତି ଗୁରାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପୁରୁଷ ସ୍ବାସ୍ଥ୍ୟ କର୍ମଚାରୀ ବାବୁଲା ଜେନା (୪୨) ଏବଂ ଗୁରାଣ୍ଡି ଗ୍ରାମର ଗଣେଶ ବିଶୋଇ (୪୦) ବୋଲି ଜଣାପଡିଛି । ଉଭୟ ଅଭିଯୁକ୍ତଙ୍କ ନିକଟରୁ ପୃଥକ ପୃଥକ ଭାବେ ୧ଲକ୍ଷ ଟଙ୍କା ଲେଖାଏଁ ଜବତ କରାଯାଇଥିବା ବେଳେ ତିନିଗୋଟି ମୋବାଇଲ ଫୋନ, ଗୋଟିଏ ମୋଟର ସାଇକେଲ ଜବତ ହୋଇଥିବା ଏବଂ ଘଟଣାକୁ ନେଇ ଅଧିକା ତଦନ୍ତ ଜାରୀ ରହିଥିବାର ଥାନା ଅଧିକାରୀ ଶ୍ରୀ ନିସିକା ସୂଚନା ଦେଇଛନ୍ତି ।