ଛତ୍ରପୁର,୩୧।୮(ଦିଲୀପ ସାମଲ/ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲା ଛତ୍ରପୁରବାସୀଙ୍କ ବହୁ ପ୍ରତିକ୍ଷୀତ ଆଶା ଆଜି ସଫଳ ହୋଇଛି। ଜିଲାର ସଦର ମହକୁମା ଛତ୍ରପୁର ଏନ୍ଏସିକୁ ରବିବାର ମୋହନ ସରକାର ମୁନିସିପାଲଟି ଭାବେ ଘୋଷଣା କରିଛନ୍ତି । ଏଥିପାଇଁ ଛତ୍ରପୁରବାସୀ ବହୁତ ଖୁସି ଥିବା ଦେଖିବାକୁ ମିଳିଛି । ପୂର୍ବ ବିଜେଡି ସରକାର ଏହାକୁ ମ୍ୟୁନିସିପାଲିଟି ଘୋଷଣା କରିଥିଲେ ହେଁ ଏହା କେବଳ ଘୋଷଣାରେ ହିଁ ସୀମିତ ହୋଇ ରହିଥିଲା। ଶେଷରେ ଭାଜପା ସରକାର ଏହାକୁ ମୁନିସିପାଲିଟି ଭାବେ ଘୋଷଣା କରିଛନ୍ତି।
ଆଜି ସ୍ବାୟତ୍ତ ଶାସନ ଦିବସ ଅବସରରେ ଛତ୍ରପୁର ସହରବାସୀଙ୍କୁ ଏହି ଭେଟି ଦେଇଛନ୍ତି ସରକାର। ଏଥିସହ ଗଞ୍ଜାମ ଜିଲାର ଭଞ୍ଜନଗର, ଆସ୍କା, ପୋଲସରା ଓ କବିସୂର୍ଯ୍ୟନଗର ଏନ୍ଏସିକୁ ମଧ୍ୟ ମୁନିସିପାଲଟି ଘୋଷଣା କରାଯାଇଛି । ସେହିପରି ଗଞ୍ଜାମ ଜିଲାର ଜଗନ୍ନାଥ ପ୍ରସାଦ ଓ ପାତ୍ରପୁର ଅଞ୍ଚଳକୁ ମଧ୍ୟ ଏନ୍ଏସିର ମାନ୍ୟତା ପ୍ରଦାନ କରାଯାଇଛି । ଏନେଇ ବିଧିବଦ୍ଧ ଭାବେ ଘୋଷଣା ହେବା ପରେ ସବୁଠି ଆନନ୍ଦ ଓ ଉତ୍ସାହ ଦେଖିବାକୁ ମିଳିଛି । ବିଶେଷ କରି ଛତ୍ରପୁର ସହରବାସୀମାନେ ଏନେଇ ଖୁସିବ୍ୟକ୍ତ କରିବା ସହିତ ସରକାରଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।