ଟିଭି ଚ୍ୟାନେଲ ଉପରେ ସରକାରୀ କଟକଣା

ନୂଆଦିଲ୍ଲୀ,୨୪।୪ (ପି.ଟି.): ୟୁକ୍ରେନ୍‌-ରୁଷିଆ ଯୁଦ୍ଧ ଏବଂ ଦିଲ୍ଲୀ ଦଙ୍ଗାକୁ ନେଇ ଘରୋଇ ଟିଭି ଚ୍ୟାନେଲଗୁଡ଼ିକରେ ପ୍ରସାରିତ କେତେକ ବିତର୍କରେ ଉତ୍ତେଜକ ତଥା ସାମାଜିକ ଦୃଷ୍ଟିରୁ ଗ୍ରହଣଯୋଗ୍ୟ ହୋଇ ନ ଥିବା ଭାଷା ବ୍ୟବହାର କରାଯାଇଥିବା ଦେଖାଯାଇଛି। ଏଥିସହ ବିତର୍କକୁ ‘ପରମାଣୁ ପୁଟିନ୍‌’ ଏବଂ ‘ଅଲି, ବଲି ଔର ଖଲବଲି’ (ଅସ୍ଥିରତା) ଭଳି ଶିରୋନାମା ଦିଆଯାଉଛି। ଘରୋଇ ଚ୍ୟାନେଲଗୁଡ଼ିକ ଏଭଳି ଉତ୍ତେଜକ ଏବଂ ନିନ୍ଦାତ୍ମକ ଶିରୋନାମାଠାରୁ ଦୂରେଇ ରହିବାକୁ କେନ୍ଦ୍ର ସରକାର ଶନିବାର କଡ଼ା ଆଡଭାଇଜରି ଜାରି କରିଛନ୍ତି। ବିଶେଷ କରି ୟୁକ୍ରେନ ଯୁଦ୍ଧ ଉପରେ ରିପୋର୍ଟିଂ ବେଳେ ନ୍ୟୁଜ୍‌ ଚ୍ୟାନେଲଗୁଡ଼ିକ ଭୁଲ୍‌ ଦାବି କରିବା ସହ ବାରମ୍ବାର ଅନ୍ତର୍ଜାତୀୟ ସଂସ୍ଥାଗୁଡ଼ିକର ନାଁ ନେଉଛନ୍ତି। ସେହିପରି ଉତ୍ତରପଶ୍ଚିମ ଦିଲ୍ଲୀ ଘଟଣାର ରିପୋର୍ଟିଂକୁ ନେଇ ପ୍ରତିବାଦ ଦେଖାଦେଇଛି। ଉକ୍ତ ଘଟଣାରେ ପ୍ରଶାସନିକ କାର୍ଯ୍ୟକୁ ଚ୍ୟାନେଲଗୁଡ଼ିକ ସାମ୍ପ୍ରଦାୟିକ ରଙ୍ଗ ଦେଇଥିବାର ଅଭିଯୋଗ ହୋଇଥିଲା। ଦିଲ୍ଲୀ ହିଂସା ସମ୍ପର୍କିତ କେତେକ ବିତର୍କରେ ଅସଭ୍ୟ, ଉତ୍ତେଜକ ତଥା ସାମାଜିକ ଦୃଷ୍ଟିରୁ ଗ୍ରହଣଯୋଗ୍ୟ ହୋଇ ନ ଥିବା ଭାଷା ବ୍ୟବହାର କରାଯାଇଥିବା ସୂଚନା ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଜାରି ଆଡଭାଇଜରିରେ କୁହାଯାଇଛି। ବିଷୟବସ୍ତୁ ପ୍ରସାରଣ ନାମରେ ଚ୍ୟାନେଲଗୁଡ଼ିକର ଏଭଳି ଆଚରଣକୁ ନେଇ ସରକାର ଗମ୍ଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି। କେବଲ୍‌ ଟେଲିଭିଜନ ନେଟଓ୍ବର୍କ୍ସ (ନିୟନ୍ତ୍ରଣ) ଆଇନ, ୧୯୯୫ର ବ୍ୟବସ୍ଥା ଓ ନିୟମାବଳୀର ଉଲ୍ଲଂଘନ କରୁଥିବା ପ୍ରକାଶନ ଓ ପ୍ରସାରଣଠାରୁ ତୁନ୍ତ ଦୂରେଇ ରହିବାକୁ ମନ୍ତ୍ରଣାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି।

Share