ଗୋପାଳପୁର,୨୫ା୧୦(ନବୀନରାଜ୍ ଆଚାରୀ): ଗଞ୍ଜାମ ଜିଲାରେ ଅକ୍ଟୋବର ମାସରେ ବାତ୍ୟାର ଭୟ ରହିଛି। ଏହି ପରିପ୍ରେକ୍ଷୀରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ ଅବପାତ ରୂପ ନେଇ ଭୀଷଣ ବାତ୍ୟାରେ ପରିଣତ ହେବ ବୋଲି ପାଣିପାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏହାର ପ୍ରଭାବରେ ଜିଲାରେ ରବିବାର ୱେଲୋ ୱାର୍ଣ୍ଣିଂ ଜାରି କରାଯିବା ସହ ସ୍ବଳ୍ପ ଓ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ସୋମବାର ଓରେଞ୍ଜ ୱାର୍ଣ୍ଣି ହେବା ସହ ପ୍ରବଳରୁ ଅତି ପ୍ରବଳ ବୃଷ୍ଟିପାତ ହେବା ସମ୍ଭାବନା ରହିଛି। ୨୮ ତାରିଖ ରେଡ଼ ୱାର୍ଣ୍ଣି ଜାରି କରାଯିବା ସହ ଅତି ପ୍ରବଳରୁ ଅତ୍ୟଧିକ ପ୍ରବଳ ବୃଷ୍ଟିପାତ ହେବାର ସମ୍ଭାବନା ଥିବା ବେଳେ ୬୦ ରୁ ୭୦ କିମି ବେଳେବେଳେ ୮୦ କିମି ବେଗରେ ପବନ ବହିବାର ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ୨୯ ତାରିଖରେ ଓରେଞ୍ଜ ୱାର୍ଣ୍ଣି ଜାରି କରାଯାଇଛି। ଗୋପାଳପୁର ବନ୍ଦରକୁ ଏକ ନମ୍ବର ବିପଦ ସଂକେତ ଜାରି କରାଯାଇଥିବା ବେଳେ ୨୬ ରୁ ୨୯ ତାରିଖ ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି। ରବିବାର ସନ୍ଧ୍ୟାରୁ ସମୁଦ୍ର ଅଶାନ୍ତ ରହିବା ସହ ସୋମବାର ସନ୍ଧ୍ୟାରେ ଅତ୍ୟଧିକ ଅଶାନ୍ତ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ୨୫ ରୁ ୩୦ ତାରିଖ ପର୍ଯ୍ୟନ୍ତ ସମସ୍ତ ଅଧିକାରୀଙ୍କ ଛୁଟି ବାତିଲ କରିବା ସହ ମୁଖ୍ୟାଳୟ ନ ଛାଡ଼ିବା ପାଇଁ ନିର୍ଦ୍ଦେଶନାମା ଜାରି କରିଛନ୍ତି ଗଞ୍ଜାମ ଜିଲାପାଳ।