ନୂଆଦିଲ୍ଲୀ,୨୨।୨: ଭାରତୀୟ ରେଳବାଇ ଯାତ୍ରୀମାନଙ୍କୁ ଏକ ବଡ଼ ସୁବିଧା ଦେବାକୁ ପ୍ରସ୍ତୁତି ଚଳାଇଛି। ଏଣିକି ଯାତ୍ରୀମାନେ ନିଜର ବୋର୍ଡିଂ ପଏଣ୍ଟ (ଯେଉଁ ଷ୍ଟେଶନରୁ ଟ୍ରେନ ଚଢ଼ିବେ) ବଦଳାଇବା ପାଇଁ ଅଧିକ ସମୟ ପାଇବେ। ରେଳବାଇ ବୋର୍ଡ ଏହି ସମୟ ସୀମାକୁ ବୃଦ୍ଧି କରିବା ପାଇଁ ଏକ ପ୍ରସ୍ତାବ ପଠାଇଛି।
ବର୍ତ୍ତମାନର ନିୟମ ଅନୁଯାୟୀ, ଯାତ୍ରୀମାନେ କେବଳ ପ୍ରଥମ ରିଜରଭେସନ ଚାର୍ଟ ପ୍ରସ୍ତୁତ ହେବା ପୂର୍ବରୁ ହିଁ ନିଜର ବୋର୍ଡିଂ ଷ୍ଟେଶନ ବଦଳାଇ ପାରୁଛନ୍ତି। କିନ୍ତୁ ନୂଆ ପ୍ରସ୍ତାବ ଅନୁଯାୟୀ, ଏହି ସୁବିଧାକୁ ଦ୍ୱିତୀୟ ଚାର୍ଟ ପ୍ରସ୍ତୁତ ହେବା ପର୍ଯ୍ୟନ୍ତ ବଢ଼ାଇବାକୁ ବିଚାର କରାଯାଉଛି।
୧୯ ଫେବୃଆରୀ ୨୦୨୬ରେ ରେଳବାଇ ବୋର୍ଡ ଏକ ଚିଠି ଜରିଆରେ CRIS (Centre for Railway Information Systems)ରୁ ଏହି ପ୍ରସ୍ତାବର କାର୍ଯ୍ୟକାରିତା ଉପରେ ମତାମତ ମାଗିଛି। ବର୍ତ୍ତମାନ ପ୍ରଥମ ଚାର୍ଟ ଟ୍ରେନ ଛାଡ଼ିବାର ପ୍ରାୟ ୧୦ ରୁ ୨୦ ଘଣ୍ଟା ପୂର୍ବରୁ ପ୍ରସ୍ତୁତ ହୋଇଯାଉଛି। ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏହି ସମୟ ସୀମା ବଢ଼ାଇବାକୁ ଯୋଜନା ହୋଇଛି।
ବର୍ତ୍ତମାନ ଟ୍ରେନ ଛାଡ଼ିବା ସମୟ ଅନୁସାରେ ପ୍ରଥମ ଚାର୍ଟ ପ୍ରସ୍ତୁତ ହେଉଛି:
୧. ସକାଳ ୫:୦୧ ରୁ ଦିନ ୨:୦୦ ମଧ୍ୟରେ ଛାଡ଼ୁଥିବା ଟ୍ରେନ: ଏହାର ପ୍ରଥମ ଚାର୍ଟ ପୂର୍ବଦିନ ରାତି ୮ଟା ସୁଦ୍ଧା ପ୍ରସ୍ତୁତ ହୁଏ।
୨. ଅନ୍ୟ ସମୟର ଟ୍ରେନ୍: ଟ୍ରେନ୍ ଛାଡ଼ିବାର ଅତିକମରେ ୧୦ ଘଣ୍ଟା ପୂର୍ବରୁ ପ୍ରଥମ ଚାର୍ଟ ପ୍ରସ୍ତୁତ କରାଯାଏ।
ତେବେ ଥରେ ପ୍ରଥମ ଚାର୍ଟ ପ୍ରସ୍ତୁତ ହୋଇଗଲେ, ବର୍ତ୍ତମାନର ନିୟମ ଅନୁସାରେ ବୋର୍ଡିଂ ଷ୍ଟେସନ ବଦଳାଇବା ସମ୍ଭବ ନୁହେଁ। ଯଦି ଏହି ପ୍ରସ୍ତାବ ମଞ୍ଜୁର ହୁଏ, ତେବେ ଯେଉଁ ଯାତ୍ରୀମାନଙ୍କର ଯାତ୍ରା ଯୋଜନାରେ ଶେଷ ମୁହୂର୍ତ୍ତରେ ପରିବର୍ତ୍ତନ ଆସେ, ସେମାନେ ବହୁତ ଉପକୃତ ହେବେ। ସେମାନେ ଟ୍ରେନ ଛାଡ଼ିବାର ଅଳ୍ପ ସମୟ ପୂର୍ବରୁ ମଧ୍ୟ ଅନ୍ୟ କୌଣସି ଷ୍ଟେସନରୁ ଟ୍ରେନ ଧରିବା ପାଇଁ ଅନଲାଇନ ବା ଅଫଲାଇନ ମାଧ୍ୟମରେ ଆବେଦନ କରିପାରିବେ।
Dharitri – Odisha’s No.1 Odia Daily