ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର

ନୂଆଦିଲ୍ଲୀ,୯।୧:ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର। ଏବେ ଯାତ୍ରୀମାନଙ୍କୁ ଟିକେଟ ପାଇବାରେ ଅଧିକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ନାହିଁ। ଅଫଲାଇନରେ ଟିକେଟ ବୁକ କରିବା ଆଉ ରେଳ ଷ୍ଟେନକୁ ଯିବାକୁ ମଧ୍ୟ ପଡିବ ନାହିଁ। ଏବେ ନିକଟତମ ଡାକଘର ପରିଦର୍ଶନ କରି ରେଳ ଟିକେଟ ବୁକ କରାଯାଇପାରିବ। ଯାତ୍ରୀମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଭାରତୀୟ ରେଳ ବିଭାଗ ଡାକଘରୁ ଟ୍ରେନ ଟିକେଟ ବୁକ କରିବାର ସୁବିଧା ମଧ୍ୟ ଦେଇଛି। ରେଳ ଟିକେଟ ବୁକିଂ ପରିଚାଳନା କରୁଥିବା ଏକ କମ୍ପାନୀ ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ କର୍ପୋରେସନ (ଆଇଆରସିଟିସି) ଦ୍ୱାରା ଏହି ବିଶେଷ ସୁବିଧା ପାଇଁ ପଦକ୍ଷେପ ନିଆଯାଇଛି। ଏହି ସୁବିଧା ରେଳବାଇର ଆଧୁନିକୀକରଣ ଯୋଜନାର ଏକ ଅଂଶ, ଯାହା ଅଧୀନରେ ଡାକ ବିଭାଗର ସହାୟତାରେ ଡାକଘରେ ଟ୍ରେନ ସଂରକ୍ଷଣ ସୁବିଧା ଆରମ୍ଭ ହେଉଛି ।
ରେଳ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଉତ୍ତରପ୍ରଦେଶରୁ ବର୍ତ୍ତମାନ ଏହି ସୱତନ୍ତ୍ର ପଦକ୍ଷେପ ଆରମ୍ଭ ହୋଇଛି, ଯାହା ଅଧୀନରେ ପ୍ରାୟ ୯୧୪୭ ଡାକଘରେ ଟିକେଟ ବୁକିଂ ସୁବିଧା ଉପଲବ୍ଧ ହେବ। ଟିକେଟ ବୁକିଂରେ ଏହା ଲୋକଙ୍କୁ ଅନେକ ସୁବିଧା ଦେବ। ବିଶେଷକରି ଗ୍ରାମାଞ୍ଚଳରେ ରହୁଥିବା ଲୋକମାନେ ଏହି ନୂତନ ପଦକ୍ଷେପ କିମ୍ବା ସୁବିଧା ଦ୍ୱାରା ଅଧିକ ଲାଭବାନ ହେବେ। ଦୁର୍ଗମ ସ୍ଥାନରେ ରହୁଥିବା ଲୋକମାନେ ମଧ୍ୟ ଟ୍ରେନରେ ସଂରକ୍ଷଣ କରିବାର ସୁବିଧା ପାଇବେ । ଯେକେହି ସେମାନଙ୍କ ନିକଟସ୍ଥ ଡାକଘରରୁ ସେମାନଙ୍କ ଟିକେଟ ସହଜରେ ପାଇପାରିବେ।