ଓ୍ବାଶିଂଟନ,୧୯।୬: ଆମେରିକାରେ ପଢିବାକୁ ସ୍ବପ୍ନ ଦେଖୁଥିବା ଛାତ୍ରମାନଙ୍କ ପାଇଁ ଖୁସି ଖବର ଆସିଛି। ଆମେରିକା ଛାତ୍ର ଭିସା ଉପରୁ ପ୍ରତିବନ୍ଧକ ଉଠାଇ ଦେଇଛି। ଏହାର ଅର୍ଥ ହେଉଛି ଏବେ ଛାତ୍ରମାନେ ଆମେରିକା ଯାଇ ପଢିପାରିବେ। କିନ୍ତୁ ଟ୍ରମ୍ପ ପ୍ରଶାସନ ଏଥିପାଇଁ ଏକ ସର୍ତ୍ତ ବାଧ୍ୟତାମୂଳକ କରିଛି ଯାହା ଛାତ୍ରମାନଙ୍କୁ ପସନ୍ଦ ଆସିନପାରେ।
ପ୍ରକୃତରେ, ବୈଦେଶିକ ବିଭାଗ ଦ୍ୱାରା ଜାରି ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ, ଆମେରିକାରେ ପଢିବାକୁ ଚାହୁଁଥିବା ବିଦେଶୀ ଛାତ୍ରମାନଙ୍କୁ ସେମାନଙ୍କର ସୋସିଆଲ ମିଡିଆ ପ୍ରୋଫାଇଲ୍ର ସ୍କ୍ରିନିଂ କରିବାକୁ ପଡିବ। ଛାତ୍ରଙ୍କ ସୋସିଆଲ ମିଡିଆରେ ଆମେରିକୀୟ ବିରୋଧୀ ବିଷୟବସ୍ତୁ କିମ୍ବା ପୋଷ୍ଟଗୁଡ଼ିକୁ ଯାଞ୍ଚ କରିବା ପାଇଁ ଏପରି ନିଷ୍ପତ୍ତି ନିଆଯାଇଛି।
ଚଳିତ ବର୍ଷ ମେ ମାସ ଶେଷରେ, ଆମେରିକା ବିଦେଶୀ ଛାତ୍ରମାନଙ୍କୁ ଭିସା ପ୍ରଦାନ ଉପରେ ଅସ୍ଥାୟୀ ଭାବରେ ନିଷେଧ କରିଥିଲା। ବୈଦେଶିକ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ‘ସୋସିଆଲ ମିଡିଆରେ ଉତ୍ତମ ତଦନ୍ତ ନିଶ୍ଚିତ କରିବ ଯେ ଆମେ ଆମ ଦେଶକୁ ଆସିବାକୁ ଚେଷ୍ଟା କରୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ସଠିକ ଭାବରେ ତଦନ୍ତ କରିପାରିବୁ।’
ଅଧିକାରୀ କହିଛନ୍ତି ଯେ ଏଥିପାଇଁ, ଆମେରିକୀୟ ଦୂତାବାସ ଅଧିକାରୀମାନେ ସମସ୍ତ ଛାତ୍ର ଏବଂ ଆବେଦନକାରୀଙ୍କୁ ପୁଙ୍ଖାନୁପୁଙ୍ଖ ଭାବରେ ତଦନ୍ତ କରିବେ। ସ୍କ୍ରିନିଂକୁ ସହଜ କରିବା ପାଇଁ, ଛାତ୍ର ଭିଜା ଆବେଦନକାରୀମାନଙ୍କୁ ସେମାନଙ୍କର ସମସ୍ତ ସୋସିଆଲ ମିଡିଆ ପ୍ରୋଫାଇଲରେ ଗୋପନୀୟତା ସେଟିଂକୁ ‘ସାର୍ବଜନୀନ’ କରିବାକୁ କୁହାଯିବ ବୋଲି ଅଧିକାରୀ କହିଛନ୍ତି।