ସୁନା ବଜାରରେ ଐତିହାସିକ ହଲଚଲ: ଗୋଟିଏ ଦିନରେ ଭାରତ ଅର୍ଥନୀତିଠାରୁ ଅଧିକ ଟଙ୍କାର କାରବାର

ନୂଆଦିଲ୍ଲୀ,୩୦।୧: ବିଶ୍ୱ ବଜାରରେ ସୁନା ମୂଲ୍ୟ ଚଳିତ ସପ୍ତାହରେ ଅଭୂତପୂର୍ବ ସ୍ଥିତିର ସାମ୍ନା କରିଛି। କ୍ୟାପିଟାଲ ମାର୍କେଟ ପ୍ଲାଟଫର୍ମ ‘ଦି କୋବେସି ଲେଟର’ ବିଶ୍ଳେଷଣ ଅନୁଯାୟୀ, ସୁନାର ବଜାର ପୁଞ୍ଜିକରଣରେ ଗୋଟିଏ ଦିନରେ ୫.୫ ଟ୍ରିଲିୟନ ଡଲାରର ଐତିହାସିକ ହ୍ରାସ-ବୃଦ୍ଧି ପରିଲକ୍ଷିତ ହୋଇଛି। ଏହା ବିଶ୍ୱ କମୋଡିଟି ବଜାର ଇତିହାସରେ ସବୁଠାରୁ ବଡ଼ ସିଙ୍ଗଲ-ଡେ ସୁଇଙ୍ଗ୍ ବୋଲି କୁହାଯାଉଛି।

ଗୁରୁବାର ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ (ଭାରତୀୟ ସମୟ ରାତି ୮ଟାରୁ ୮.୩୦ ମଧ୍ୟରେ) ସୁନା ବଜାର ପ୍ରାୟ ୩.୨ ଟ୍ରିଲିୟନ ଡଲାର ମୂଲ୍ୟ ହରାଇଥିଲା। ଅର୍ଥାତ୍ ପ୍ରତି ମିନିଟ୍‌ରେ ବଜାରରୁ ୫୮ ବିଲିୟନ ଡଲାର ଗାୟବ ହୋଇଯାଇଥିଲା। ଏହାର କିଛି ଘଣ୍ଟା ମଧ୍ୟରେ ବଜାର ପୁଣି ଥରେ ଉପରକୁ ଉଠିଥିଲା ଏବଂ ପ୍ରାୟ ୨.୩ ଟ୍ରିଲିୟନ ଡଲାର ମୂଲ୍ୟ ଫେରି ପାଇଥିଲା।

ସୁନା ବଜାରରେ ହୋଇଥିବା ଏହି ଦୈନିକ ପରିବର୍ତ୍ତନ ସମଗ୍ର ବିଟକଏନ୍ ବଜାରର ମୋଟ ମୂଲ୍ୟ (୮୫୦ ବିଲିୟନ ଡଲାର) ଠାରୁ ପ୍ରାୟ ତିନି ଗୁଣ ଅଧିକ। ବିଶ୍ୱ ବଜାରର ଏହି ଅସ୍ଥିରତା ଭାରତୀୟ ବଜାରରେ ମଧ୍ୟ ଦେଖିବାକୁ ମିଳିଛି।

ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ପ୍ରତି ୧୦ ଗ୍ରାମ ସୁନା ୧.୮ ଲକ୍ଷ ଟଙ୍କାର ସର୍ବକାଳୀନ ରେକର୍ଡ ସ୍ତର ଛୁଇଁଛି। ରୁପା ମୂଲ୍ୟରେ ୬.୩% ବୃଦ୍ଧି ଘଟି ପ୍ରଥମ ଥର ପାଇଁ କିଲୋ ପିଛା ୪ ଲକ୍ଷ ଟଙ୍କା ଅତିକ୍ରମ କରିଛି।

ବିଶେଷଜ୍ଞଙ୍କ ମତରେ, ବିଶ୍ୱ ସ୍ତରରେ ବଢ଼ୁଥିବା ମୁଦ୍ରାସ୍ଫୀତି, ଭୂ-ରାଜନୈତିକ ତିକ୍ତତା ଏବଂ ବାଣିଜ୍ୟ ଯୁଦ୍ଧ ଯୋଗୁଁ ନିବେଶକମାନେ ସୁନାକୁ ଏକ ସୁରକ୍ଷିତ ନିବେଶ ଭାବେ ବାଛୁଛନ୍ତି। ଗୋଲ୍ଡମ୍ୟାନ୍ ସାକ୍ସ ଭଳି ବଡ଼ ବ୍ୟାଙ୍କଗୁଡ଼ିକର ଆକଳନ ଅନୁଯାୟୀ, ୨୦୨୬ ଶେଷ ସୁଦ୍ଧା ସୁନା ମୂଲ୍ୟ ଆହୁରି ବଢ଼ିପାରେ।