ରାୟଗଡ଼ା,୧୩।୮(ଆଶିଷ ରଞ୍ଜନ ପଣ୍ଡା)- ଚଳନ୍ତା ଟ୍ରେନରେ ହୋଇଥିବା ଏକ ଚୋରି ମାମଲାର ପର୍ଦ୍ଦାଫାଶ କରିଛି ରାୟଗଡ଼ା ଜିଆରପି ପୋଲିସ । ଏହି ମାମଲାରେ ୬ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ରାୟଗଡ଼ା ଜିଆର୍ପି ବୁଧବାର ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛି । ଗିରଫ ୬ଜଣ ହେଲେ ରାୟଗଡ଼ା ସହରର ଉଲାକା ଶ୍ରୀନୁ, ପାଲେକ ମୂରଲୀ, ଏ.ବେଣୁ ଗୋପାଳସ୍ବାମୀ, ଏ.ଇଶ୍ୱର ଓରଫ ଇଶୁ, ଗୋବିନ୍ଦ ବାଗ ଏବଂ ବିଧର ବାଗ । ସେମାନଙ୍କ ଠାରୁ ୫୮ ଗ୍ରାମ ସୁନା, ନଗଦ ୨ଲକ୍ଷ ୨୫ ହଜାର ଟଙ୍କା, ଦୁଇଟି କାର ନଂ ଓ ଏବଂ ଏପି୩୫ଇ୯୦୯୪ ଏବଂ ୬ଟି ମୋବାଇଲ ଫୋନ ଜବତ ହୋଇଛି ।
ଘଟଣାରୁ ପ୍ରକାଶ ଯେ, ପଡ଼ୋଶୀ ଆନ୍ଧ୍ରପ୍ରଦେଶ ରାଜ୍ୟର ବିଶାଖାପାଟଣା ଜିଲା ଗାଜୁଆକା ବିସିରୋ ଅଞ୍ଚଳର ସୁନା ବ୍ୟବସାୟୀ ରୋଉପୁଦ୍ଦିନ ମୋଲା ଜିଆରପି ପୋଲିସ ନିକଟରେ କରିଥିବା ଅଭିଯୋଗ ଅନୁସାରେ ଅଗଷ୍ଟ ୩ ତାରିଖରେ ମୋଲା ପାର୍ବତୀପୁରମ ଓ ପରେ ରାୟଗଡ଼ାଠାରେ ସୁନା ଦୋକାନ ମାନଙ୍କରେ ସୁନା ଗହଣା ବିକ୍ରି କରି ବିଶାଖାପାଟଣା-ଗୁଂଟୁର ଟ୍ରେନର ବି-୨ କୋଚର ସିଟ ନମ୍ବର ୩୯ରେ ବସି ବିଶାଖାପାଟଣା ଫେରୁଥିଲେ । ତେବେ ରାୟଗଡ଼ା ବ୍ଲକ ଶେଷଖାଲ ଥାନା ଅନ୍ତର୍ଗତ ଜେମାଦେଇପେଣ୍ଠ ରେଳ ଷ୍ଟେଶନ ନିକଟରେ ତାଙ୍କର ସୁନା ଗହଣା ବ୍ୟାଗ ଚୋରି ହୋଇଯାଇଥିଲା । ଏଥିରେ ଏକ ହଳ ଚୁଡ଼ି, ଦୁଇ ହଳ ହାର, ଏକ ଲମ୍ବା ସୁନା ହାର, ଦୁଇଟି ଚେନ, ଏଟିଏମ୍ କାର୍ଡ, କ୍ରେଡିଟ କାର୍ଡ, ଆଧାର କାର୍ଡ ଏବଂ ନଗଦ ଟଙ୍କା ରହିଥିଲା । ତେବେ ଚୋରି ନେଇ ମୋଲା ଜିଆରପି ଥାନାରେ ଏତଲା ଦେବା ପରେ ଡିଏସପି ପ୍ରଭାତ କୁମାର ଶତପଥୀଙ୍କ ନେତୃତ୍ୱରେ ଏସଆଇ ଆଲୋକ ନାୟକ ଓ କର୍ମଚାରୀଙ୍କ ସମେତ ଆରପିଏଫ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲେ । ତଦନ୍ତରୁ ଉକ୍ତ ୬ଜଣ ଅଭିଯୁକ୍ତ ସାମିଲ ଥିବା ଜିଆରପି ପୋଲିସ ଜାଣିବାକୁ ପାଇବା ପରେ ସେମାନଙ୍କୁ ଗିରଫ କରିଥିଲା । ତେବେ ଏହି ମାମଲାରେ ଜଡ଼ିତ ଥିବା ଅନ୍ୟମାନଙ୍କୁ ମଧ୍ୟ ପୋଲିସ ଖୁବଶୀଘ୍ର ଗିରଫ କରାଯିବ ବୋଲି ଡିଏସପି ଶତପଥୀ ସୂଚନା ଦେଇଛନ୍ତି ।