ମୁମ୍ବାଇ,୨୩।୯: କମିବାର ନାଁ ନେଉ ନାହିଁ ସୁନା ମୂଲ୍ୟ। ଗତ କିଛିଦିନ ଧରି ସୁନା ମୂଲ୍ୟ ପ୍ରତ୍ୟେକ ଦିନ ନୂଆ ନୂଆ ରେକର୍ଡ କରୁଛି। ମଙ୍ଗଳବାର ସୁନା ମୂଲ୍ୟ ପ୍ରାୟ ୧୮୦୦ ଟଙ୍କା ବୃଦ୍ଧି ପାଇଛି। ମଲ୍ଟି କମୋଡିଟି ବଜାରରେ ମଙ୍ଗଳବାର ୧୦ ଗ୍ରାମ ସୁନା ଦାମ୍ ୧,୧୩,୯୯୦ ଟଙ୍କାରେ ପହଞ୍ଚିଛି। ସେହିପରି ଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟ ମଧ୍ୟ ସର୍ବକାଳୀନ ରେକର୍ଡ ଭାଙ୍ଗିଛି।
ରଏଟର୍ସ ରିପୋର୍ଟ ଅନୁଯାୟୀ, ମଙ୍ଗଳବାର କାରବାର ଆରମ୍ଭରୁ ରେକର୍ଡ ୩,୭୫୯.୦୨ ଡଲାର ଛୁଇଁବା ପରେ ପ୍ରତି ଆନ୍ସ ପିଛା ସୁନା ମୂଲ୍ୟ ୦.୨% ବଢି ୩,୭୫୩.୨୫ ଡଲାର ହୋଇଯାଇଥିଲା। ତେବେ ଏହାରି ମଧ୍ୟରେ ଜେପି ମୋର୍ଗାନ ସିଇଓ ଜେମି ଡିମନ ଚେତାବନୀ ଦେଇଥିଲେ କି ବୁଲିଆନ ବିଟକଏନ ଠାରୁ ଆରମ୍ଭ କରି ସମସ୍ତ ବଜାରରେ ବ୍ୟାପକ ପରିସମ୍ପତ୍ତି ଭାଉ କମିପାରେ ଏବଂ ସୁନା ମୂଲ୍ୟରେ ବଡ଼ ହ୍ରାସ ଆସିପାରେ।
ମୁମ୍ବାଇରେ ଜେପି ମୋର୍ଗାନ ଇଣ୍ଡିଆ ଇନଭେଷ୍ଟମେଣ୍ଟ କନଫରେନ୍ସରେ ଡିମନ ସତର୍କ ଘଣ୍ଟି ବଜାଇଥିଲେ। ରିପୋର୍ଟ ଅନୁଯାୟୀ ସେ କହିଥିଲେ ଆମେ ଏବେ ଏକ ଏପରି ସ୍ଥିତିରେ ଅଛନ୍ତି, ଯେଉଁଠାରେ ଆମକୁ ଜଣା ନାହିଁ ଆମେ କେଉଁଠି ଅଛୁ। କିନ୍ତୁ ବର୍ତମାନ ଷ୍ଟକ ମୂଲ୍ୟ ସବୁଠାରୁ ଉଚ୍ଚରେ ରହିଛି, ସେହିପରି ସୁନା ମୂଲ୍ୟ ଏବଂ କ୍ରିପ୍ଟ ମୂଲ୍ୟ ମଧ୍ୟ ସର୍ବକାଳୀନ ସ୍ଥିତିରେ ରହିଛି।