ଭୁବନେଶ୍ୱର,୨୭।୧୦: ଅନେକ ସପ୍ତାହ ଧରି ବୃଦ୍ଧି ପାଇବା ପରେ ଏବେ ସୁନା ଏବଂ ରୂପା ଦର କମିବାରେ ଲାଗିଛି। ବିଶେଷଜ୍ଞମାନଙ୍କ ମତରେ ଏହାର ମୁଖ୍ୟ କାରଣ ଅର୍ଥନୀତି ଓ ବୈଶ୍ଵିକ ଭୁ-ରାଜନୀତି ସହ ଜଡ଼ିତ।
ଆମେରିକୀୟ ଡଲାରର ମୂଲ୍ୟ ବୃଦ୍ଧି ପାଇବା ଯୋଗୁଁ ନିବେଶକମାନେ ସୁନା ଓ ରୂପା ଭଳି ‘ନିରାପଦ ନିବେଶ’ରୁ ନିଜ ପୁଞ୍ଜି ବାହାର କରି ନେଉଛନ୍ତି। ଆମେରିକା ଏବଂ ଚାଇନା/ଭାରତ ମଧ୍ୟରେ ବାଣିଜ୍ୟ ଆଲୋଚନା ଓ ଗାଜା ଶାନ୍ତି ପ୍ରକ୍ରିୟାରେ ଉତ୍ସାହଜନକ ଖବର ଯୋଗୁଁ ବିଶ୍ୱ ବଜାରରେ ଭୟ କମିଛି। ସେହିପରି ଦର ବଢ଼ିଥିବାରୁ ଅନେକ ନିବେଶକ ଏବେ ଲାଭ ନେବା ପାଇଁ ସୁନା ଓ ରୂପା ବିକ୍ରି କରି ଦେଉଛନ୍ତି। ଏବେ ଅନେକ କେନ୍ଦ୍ରୀୟ ବ୍ୟାଙ୍କର ବୈଠକ ଉପରେ ଏବେ ସମସ୍ତଙ୍କ ନଜର ରହିଛି।
ଏହା ବ୍ୟତୀତ ଦୁର୍ବଳ ମୁଦ୍ରାସ୍ଫୀତି ତଥ୍ୟ ଯୋଗୁଁ ଆମେରିକାର କେନ୍ଦ୍ରୀୟ ବ୍ୟାଙ୍କ (ଫେଡେରାଲ୍ ରିଜର୍ଭ) ସୁଧ ହାରକୁ ୨୫ ବେସିସ୍ ପଏଣ୍ଟ କମାଇପାରେ ବୋଲି ଆଶା କରାଯାଉଛି। ଏହା ହେଲେ ସୁନାକୁ ସମର୍ଥନ ମିଳିପାରେ। ଯଦି ଫେଡେରାଲ ରିଜର୍ଭ ଆଶା କରାଯାଉଥିବା ଠାରୁ କମ୍ ସୁଧ ହାର କମାଇବାକୁ ସୂଚନା ଦିଏ, ତେବେ ସୁନା ଦର ଆହୁରି ଖସିପାରେ।
ସେପଟେ ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି ଯେ ଆମେରିକାର ରାଷ୍ଟ୍ରପତି ଓ ଚାଇନା ରାଷ୍ଟ୍ରପତିଙ୍କ ବୈଠକ ଏବଂ ଆମେରିକୀୟ ଫେଡ୍ର ଘୋଷଣା ଯୋଗୁଁ ବଜାରରେ ଅସ୍ଥିରତା ଲାଗି ରହିବ।