ନିର୍ବାଚନ ପୂର୍ବରୁ ଜୀବନରୁ ମାରିଦେବାକୁ ଯୋଜନା, କେଜ୍‌ରିଓ୍ବାଲ କହିଲେ- ‘ଯେଉଁ ଦିନ ଲାଇଫଲାଇନ୍‌ ସରିଯିବ ସେଦିନ…’

ନୂଆଦିଲ୍ଲୀ,୧୫।୧: ଆମ ଆଦ୍‌ମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ଆକ୍ରମଣ କରିବାକୁ ଏକ ଖଲିସ୍ତାନୀ ସମର୍ଥକଙ୍କ ଗୋଷ୍ଠୀ ଯୋଜନା କରୁଥିବା ନେଇ ଗୁଇନ୍ଦା ରିପୋର୍ଟ ହସ୍ତଗତ ହୋଇଛି। ଏହାକୁ ନେଇ କେଜ୍‌ରିଓ୍ବାଲ ବୁଧବାର ପ୍ରତିକ୍ରିୟା ଦେଇ ଭଗବାନ ତାଙ୍କୁ ବଞ୍ଚାଇବେ ବୋଲି କହିଛନ୍ତି। ଫେବୃଆରୀ ୫ରେ ହେବାକୁ ଥିବା ନିର୍ବାଚନ ଲାଗି ନୂଆଦିଲ୍ଲୀ ଆସନରୁ ନାମାଙ୍କନପତ୍ର ଦାଖଲ କରିବା ପରେ ଖବରଦାତାଙ୍କୁ ସମ୍ବୋଧିତ କରି କେଜ୍‌ରିଓ୍ବାଲ ଏଭଳି କହିଛନ୍ତି।

ଯାହାକୁ ଭଗବାନ ରଖିବେ ତାକୁ କେହି ମାରିପାରିବେ ନାହିଁ। ଭଗବାନ ମୋ ସହ ଅଛନ୍ତି। ଯେପର୍ଯ୍ୟନ୍ତ ଲାଇଫଲାଇନ୍‌(ଜୀବନରେଖା) ଅଛି, ସେ ଯାଏ ମୁଁ ବଞ୍ଚିବି। ଯେଉଁଦିନ ଲାଇଫଲାଇନ୍‌ ଶେଷ ହେବ, ଭଗବାନ ତାଙ୍କୁ ନେଇଯିବେ ବୋଲି କେଜରିଓ୍ବାଲ କହିଛନ୍ତି।

ଅପରପକ୍ଷେ ଦିଲ୍ଲୀ ପୋଲିସ କହିଛି, ଗୁଇନ୍ଦା ରିପୋର୍ଟରୁ ଜଣାପଡ଼ିଛି ଯେ ଦୁଇରୁ ତିନି ଜଣ ଆତଙ୍କବାଦୀଙ୍କ ଗୋଷ୍ଠୀ, ରାଜଧାନୀରେ ହେବାକୁ ଥିବା ଆଗାମୀ ବିଧାନସଭା ନିର୍ବାଚନ ସମୟରେ କେଜରିଓ୍ବାଲଙ୍କୁ ଟାର୍ଗେଟ କରିବା ଲାଗି ଦିଲ୍ଲୀ ଆସିପାରନ୍ତି। ଏହାକୁ ଦୃଷ୍ଟିରେ ରଖି ତାଙ୍କ ସୁରକ୍ଷାକୁ ବଢ଼ାଇ ଦିଆଯାଇଛି।

Share
Tags: National