ନୂଆଦିଲ୍ଲୀ,୩୦।୧୨: ଭାରତୀୟ ପରିବାରଗୁଡ଼ିକ ପାଇଁ ସୁନା କେବଳ ଏକ ଅଳଙ୍କାର ନୁହେଁ, ବରଂ ଏହା ଭାବପ୍ରବଣତା ଏବଂ ଆର୍ଥିକ ସୁରକ୍ଷାର ଏକ ପ୍ରତୀକ। ବିଶ୍ୱ ବଜାରରେ ସୁନା ଦର କ୍ରମାଗତ ଭାବେ ବୃଦ୍ଧି ପାଇ ଏକ ନୂଆ ଉଚ୍ଚତା ଅତିକ୍ରମ କରିଥିବା ବେଳେ, ଭାରତୀୟ ପରିବାର ପାଖରେ ଥିବା ସୁନାର ମୋଟ ମୂଲ୍ୟ ଏବେ ଦେଶର ସମୁଦାୟ ଅର୍ଥନୀତି (GDP) କୁ ମଧ୍ୟ ଟପିଯାଇଛି।
ମୋର୍ଗାନ ଷ୍ଟାନ୍ଲିର ଆକଳନ ଅନୁଯାୟୀ, ଭାରତୀୟ ପରିବାର ପାଖରେ ପ୍ରାୟ ୩୪,୬୦୦ ଟନ୍ ସୁନା ଗଚ୍ଛିତ ଅଛି। ସାମ୍ପ୍ରତିକ ମୂଲ୍ୟ ଅନୁସାରେ ଏହାର ମୂଲ୍ୟ ୫ ଟ୍ରିଲିୟନ ଡଲାରରୁ ଅଧିକ, ଯାହା ଭାରତର ବର୍ତ୍ତମାନର GDP ୪.୧ ଟ୍ରିଲିୟନ୍ ଡଲାର ତୁଳନାରେ ବହୁତ ଅଧିକ।
ସୁନା ବ୍ୟବହାର କ୍ଷେତ୍ରରେ ଭାରତ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଦେଶ। ସମଗ୍ର ବିଶ୍ୱର ମୋଟ ଚାହିଦାର ପ୍ରାୟ ୨୬% କେବଳ ଭାରତରୁ ଆସିଥାଏ। ପୂର୍ବରୁ ଲୋକେ କେବଳ ଅଳଙ୍କାର ପାଇଁ ସୁନା କିଣୁଥିଲେ। କିନ୍ତୁ ବର୍ତ୍ତମାନ ବାର୍ ଏବଂ କଏନ୍ ମାଧ୍ୟମରେ ନିବେଶ କରିବା ପ୍ରାୟ ୩୨% କୁ ବୃଦ୍ଧି ପାଇଛି।
ସୁନା ପ୍ରତି ବଢୁଥିବା ଆକର୍ଷଣର କାରଣ ହେଉଛି ଯୁଦ୍ଧ, ମୁଦ୍ରାସ୍ଫୀତି ଏବଂ ଆର୍ଥିକ ଅନିଶ୍ଚିତତା ସମୟରେ ସୁନାକୁ ସବୁଠାରୁ ସୁରକ୍ଷିତ ସମ୍ପତ୍ତି ଭାବେ ଗ୍ରହଣ କରାଯାଏ। ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ମଧ୍ୟ ନିଜର ସୁନା ଭଣ୍ଡାର ବୃଦ୍ଧି କରିଛି। ୨୦୨୪ ରୁ ବର୍ତ୍ତମାନ ସୁଦ୍ଧା RBI ପ୍ରାୟ ୭୫ ଟନ୍ ସୁନା କିଣିବା ଫଳରେ ଏହାର ମୋଟ ଭଣ୍ଡାର ୮୮୦ ଟନ୍ ରେ ପହଞ୍ଚିଛି ।
ଯଦିଓ କାଗଜପତ୍ରରେ ଏହି ସମ୍ପତ୍ତି ଭାରତକୁ ସମୃଦ୍ଧ ଦେଖାଉଛି, କିନ୍ତୁ ବାସ୍ତବରେ ଏହି ସୁନାର ଅଧିକାଂଶ ଭାଗ ଅଳଙ୍କାର ଭାବେ ରହିଥିବାରୁ ଏହା ଅର୍ଥନୀତିରେ ସିଧାସଳଖ ପୁଞ୍ଜି ଗଠନରେ ବିଶେଷ ସାହାଯ୍ୟ କରେନାହିଁ। ତଥାପି, ସଙ୍କଟ ସମୟରେ ଏହି ବିଶାଳ ସୁନା ଭଣ୍ଡାର ଭାରତ ପାଇଁ ଏକ “ଆର୍ଥିକ କବଚ” ଭାବେ କାର୍ଯ୍ୟ କରୁଛି।