ଭାରତୀୟ ହାଇ କମିଶନର ସହ ହୋଇଥିବା ଅସଦାଚରଣକୁ ନିନ୍ଦା କଲା ଗ୍ଲାସ୍‌ଗୋ ଗୁରୁଦ୍ୱାର

ଲଣ୍ଡନ,୧।୧୦: ସ୍କଟଲ୍ୟାଣ୍ଡରେ ଭାରତୀୟ ହାଇ କମିଶନର ବିକ୍ରମ ଦୋରାଇସ୍ବାମୀଙ୍କୁ ଗୁରୁଦ୍ୱାର ପରିଦର୍ଶନ କରିବାକୁ ବାରଣ କରାଯିବା ମାମଲାରେ ଗ୍ଲାସ୍‌ଗୋ ଗୁରୁଦ୍ୱାର ଆପତ୍ତି ଜଣାଇଛି। ଗ୍ଲାସ୍‌ଗୋ ଗୁରୁଦ୍ୱାର ଏହି ଘଟଣାକୁ ତୀବ୍ର ନିନ୍ଦା କରିଛି। ଗ୍ଲାସ୍‌ଗୋ କମିଟି କହିଛି, ଅଜ୍ଞାତ ବ୍ୟକ୍ତିଙ୍କ ଦ୍ୱାରା ଏହା ଅନୁପଯୁକ୍ତ ଆଚରଣ। ଗୁରୁଦ୍ୱାର ସମସ୍ତ ସମ୍ପ୍ରଦାୟର ଲୋକଙ୍କ ପାଇଁ ଖୋଲା ଅଛି।

ଖାଲିସ୍ତାନୀ ସମର୍ଥକଙ୍କ ଏକ ଦଳ ଶୁକ୍ରବାର ବ୍ରିଟେନର ଭାରତୀୟ ହାଇ କମିଶନରଙ୍କୁ ସ୍କଟଲ୍ୟାଣ୍ଡର ଏକ ଗୁରୁଦ୍ୱାରରେ ପ୍ରବେଶ କରିବାକୁ ଅଟକାଇଥିଲେ। ସୂଚନାନୁସାରେ, ଖଲିସ୍ତାନୀ ସମର୍ଥକମାନେ ସୂଚନା ପାଇଥିଲେ କି ଆଲବର୍ଟ ଡ୍ରାଇଭରେ ଗ୍ଲାସ୍‌ଗୋ ଗୁରୁଦ୍ୱାରର ଗୁରୁଦ୍ୱାର କମିଟି ସହିତ ବିକ୍ରମ ଦୋରାଇସ୍ବାମୀଙ୍କ ଏକ ବୈଠକ କରିବାର କାର୍ଯ୍ୟକ୍ରମ ରହିଛି। ସେ ଏଠାରେ ପହଞ୍ଚିବା ପରେ କିଛି ଲୋକ ତାଙ୍କ କାର୍‌କୁ ଘେରି ଯାଇଥିଲେ। ଭାରତୀୟ ହାଇ କମିଶନ କହିଛନ୍ତି ଯେ, ତିନି ଜଣ ବ୍ୟକ୍ତି ହାଇ କମିଶନରଙ୍କୁ ଗୁରୁଦ୍ୱାରରେ ପ୍ରବେଶ କରିବାକୁ ଅଟକାଇଥିଲେ। ତାଙ୍କ କାର୍‌ର ଡୋର ଖୋଲିବାକୁ ଚେଷ୍ଟା କରାଯାଇଥିଲା।