ମାଲକାନଗିରି, ୧୬।୧୧(ଦୁର୍ଯୋ୍ୟଧନ ପାତ୍ର): ମାଲକାନଗିରି ସଦର ବ୍ଲକ ସିନ୍ଧ୍ରିମାଳ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଓଡିଶା ଗ୍ରାମ ପଞ୍ଚାୟତ କର୍ମଚାରୀ ପିଅନ ମହାସଂଘ, ମାଲକାନଗିରି ଜିଲା ଶାଖାର ଏକ ବୈଠକ ସଂଘ ସଭାପତି ଡମ୍ବରୁଧର ଭୁମିଆଙ୍କ ଅଧ୍ୟକ୍ଷତାରେ ରବିବାର ଅନୁଷ୍ଠିତ ହୋଇଯାଇଛି।
ପଞ୍ଚାୟତ ପିଅନମାନଙ୍କ ବିଭିନ୍ନ ସମସ୍ୟା ଓ ଏହାର ସମାଧାନ, ସରକାରଙ୍କୁ ସେମାନଙ୍କ ବିଭିନ୍ନ ଦାବି ସମ୍ବନ୍ଧରେ ଅବଗତ କରାଇବା ନେଇ ବୈଠକରେ ଆଲୋଚନା ହୋଇଥିଲା। ପିଅନମାନଙ୍କ ବିଭିନ୍ନ ଦାବି ସମ୍ବନ୍ଧରେ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହାର ସମାଧାନ ଦିଗରେ ଧ୍ୟାନ ଦିଆଯାଉ ନ ଥିବା ଅଭିଯୋଗ ହୋଇଛି। ତୁରନ୍ତ ସରକାର ସମସ୍ୟା ସମାଧାନ ଦିଗରେ ଚେଷ୍ଟା କରନ୍ତୁ ବୋଲି ଦାବି ହୋଇଛି।
ଦାବିଗୁଡିକ ମଧ୍ୟରେ ପ୍ରତି ପଞ୍ଚାୟତରେ ପିଅନ ପଦବୀକୁ ସ୍ଥାୟୀ ନିଯୁକ୍ତି ଓ ନିୟମିତ ଦରମା ପ୍ରଦାନ, ପିଅନମାନଙ୍କ ଦୈନିକ ସର୍ବନିମ୍ନ ମଜୁରୀ ୪୫୦ କରିବା, ମାସିକ ୧୮ ହଜାର ଟଙ୍କା ଦରମା, ଚାକିରି କ୍ଷେତ୍ରରେ ବୀମାଭୁକ୍ତ କରିବା ସହ ସାମାଜିକ ସୁରକ୍ଷା ପ୍ରଦାନ, ଶିକ୍ଷାଗତ ଯୋଗ୍ୟତା ଭିତିରେ ପଦୋନ୍ନତି, ୬୦ ବର୍ଷ ପରେ ଅବସର ନେଉଥିବା କର୍ମଚାରୀଙ୍କ ନିମନ୍ତେ ପେନସନ ବ୍ୟବସ୍ଥା କରିବାକୁ ଦାବି ହୋଇଛି। ପଞ୍ଚାୟତ ପିଅନ କର୍ମଚାରୀଙ୍କ ନିମନ୍ତେ ସ୍ବତନ୍ତ୍ର ବଜେଟ ଅର୍ଥ ବିଭାଗରେ ରଖିବା, ମାସକୁ ମାସ ନିୟମିତ ଭାବେ ପଞ୍ଚାୟତ ପିଅନମାନଙ୍କୁ ଅନ୍ଲାଇନ ମାଧ୍ୟମରେ ମାସିକ ଦରମା ପ୍ରଦାନ ନେଇ ଦାବି କରାଯାଇଛି। ଏହି ବୈଠକରେ ସମ୍ପାଦକ ଚନ୍ଦ୍ର ପାଙ୍ଗିଙ୍କ ସହ ସଂଘର ସମସ୍ତ ସଦସ୍ୟ ଅଂଶଗ୍ରହଣ କରିଥିଲେ।