ବାସୁଦେବପୁର/ସୋର,୨୭ା୨(ନାରାୟଣ ପ୍ରସାଦ ବାରିକ/ ଜନ୍ମେଜୟ ମିଶ୍ର):ବିବାହ ଲାଗି ମନା କରିବାରୁ ବାଲେଶ୍ୱର ଜିଲା ସୋର ଥାନା ଲିଙ୍ଗପଡ଼ା ଗ୍ରାମର ଜ୍ୟୋତିର୍ମୟୀ ରଣା ନାମ୍ନୀ ଯୁବତୀଙ୍କୁ ୩ଦିନ ତଳେ ଗଳାକାଟି ହତ୍ୟା କରାଯାଇଥିଲା। ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ପ୍ରେମିକ ବିଶ୍ୱରଞ୍ଜନ ପୁହାଣ ଫେରାର ଥିଲେ। ସୋର ପୋଲିସ ଏକ ସ୍ବତନ୍ତ୍ର ଟିମ୍ ଗଠନ କରି ବୁଧବାର ସକାଳେ ବାସୁଦେବପୁର ପୋଲିସ ସହାୟତାରେ ବିଶ୍ୱରଞ୍ଜନଙ୍କୁ ଚୂଡ଼ାମଣି ଗ୍ରାମରୁ ଗିରଫ କରିଛି। ସେ ପୋଲିସ କବଳରୁ ଖସିଯିବାକୁ ଉଦ୍ୟମ କରୁଥିବାବେଳେ ବାଟ ନ ପାଇ ଶେଷରେ ବିଷ ପିଇଦେବା ସହ ଏକ ପୋଖରୀକୁ ଡେଇଁପଡିଥିଲେ। ପରେ ତାଙ୍କୁ ଗୁରୁତର ଅବସ୍ଥାରେ ପୋଲିସ ଉଦ୍ଧାର କରି ଚିକିତ୍ସା ପାଇଁ ବାସୁଦେବପୁର ଡାକ୍ତରଖାନାକୁ ଆଣିିବା ପରେ ସେଠାରୁ ବାଲେଶ୍ୱର ସ୍ଥାନାନ୍ତର କରାଯାଇଛି।
ମିଳିଥିବା ସୂଚନା ଅନୁସାରେ, ବିଶ୍ୱରଞ୍ଜନ ଓ ଲିଙ୍ଗପଡ଼ା ଗ୍ରାମର ଜ୍ୟୋତିର୍ମୟୀ ବାଙ୍ଗାଲୋରରେ ଏକ ବେସରକାରୀ ସଂସ୍ଥାରେ ଚାକିରି କରିଥିଲେ। ଦୁହିଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ସେଠାରୁ ଫେରିବା ପରେ ବିଶ୍ୱରଞ୍ଜନ ବାହା ହେବା ପାଇଁ ପ୍ରସ୍ତାବ ଦେଇଥିଲେ। ଏଥିରେ ଜ୍ୟୋତିର୍ମୟୀ ରାଜି ନ ହେବାରୁ ବିଶ୍ୱରଞ୍ଜନ ତାଙ୍କ ଘରକୁ ଯାଇ ଏକ ଧାରୁଆ ଅସ୍ତ୍ରରେ ପ୍ରେମିକାଙ୍କ ଗଳା କାଟି ହତ୍ୟା କରିଥିଲେ। ଏନେଇ ଅଭିଯୋଗ ହେବା ପରେ ସୋର ଥାନାରେ ମାମଲା (ନଂ. ୧୬୨/୨୫) ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଥିଲା। ତଦନ୍ତ ସମୟରେ ବିଶ୍ୱରଞ୍ଜନ ନିଜ ଗାଁରେ ଥିବା ଖବର ପାଇ ସୋର ପୋଲିସ ବାସୁଦେବପୁର ପୋଲିସ ସହାୟତାରେ ଚୂଡ଼ାମଣି ଗ୍ରାମରେ ପହଞ୍ଚତ୍ଥିଲା। ପୋଲିସ ପହଞ୍ଚତ୍ବା ଜାଣିପାରି ବିଶ୍ୱରଞ୍ଜନ ଘରୁ ଯାଇ ଏକ ବୁଦାମୂଳେ ଲୁଚି ରହିଥିଲେ। ପୋଲିସ ଚାରିପଟୁ ଘେରାଉ କରିନେବା ପରେ ଖସିଯିବାର ରାସ୍ତା ନ ପାଇ ବିଶ୍ୱରଞ୍ଜନ ପାଖରେ ରଖିଥିବା ବିଷ ପିଇ ଦେଇଥିଲେ। ଏହାପରେ ନିକଟରେ ଥିବା ଏକ ପୋଖରୀକୁ ଡେଇଁପଡ଼ିଥିଲେ। ଗୁରୁତର ଅବସ୍ଥାରେ ବିଶ୍ୱରଞ୍ଜନଙ୍କୁ ପୋଲିସ ଉଦ୍ଧାର କରି ଚିକିତ୍ସା ପାଇଁ ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବାଲେଶ୍ୱର ସ୍ଥାନାନ୍ତର କରାଯାଇଛି।