ଦେଢ଼ କୋଟି ଟଙ୍କା ଖର୍ଚ୍ଚ କରି ‘ବିବାହିତ ପ୍ରେମିକ’ଙ୍କୁ କିଣିଲେ ପ୍ରେମିକା, କାରଣ ଜାଣିଲେ..

ଆଗରୁ କୁହାଯାଉଥିଲା ପ୍ରେମକୁ ଟଙ୍କାରେ କିଣି ହେବ ନାହିଁ। ହେଲେ ଆଜିକାଲିର ସମୟରେ କିଛି ବି ସମ୍ଭବ। ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଏକ ଅଜବ ପ୍ରେମକାହାଣୀ ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳା ନିଜ ପ୍ରେମକୁ ପାଇବା ପାଇଁ ଦେଢ଼ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ କରିଦେଇଛନ୍ତି।

ମହିଳା ଭଲପାଉଥିବା ବ୍ୟକ୍ତିଜଣଙ୍କ ପୂର୍ବରୁ ବିବାହିତ ଥିଲେ। ତାଙ୍କର ଦୁଇଟି ସନ୍ତାନ ମଧ୍ୟ ଥିଲେ। ହେଲେ ବ୍ୟକ୍ତିଙ୍କୁ ଭଲପାଇ ବସିବା ପରେ ମହିଳାଜଣଙ୍କ ନିଜ ଜୀବନର ସମସ୍ତ ପୁଞ୍ଜିକୁ ଲଗାଇଦେଇଛନ୍ତି। ତାଙ୍କୁ ହାସଲ କରିବା ପାଇଁ ବ୍ୟକ୍ତିଙ୍କ ସ୍ତ୍ରୀଙ୍କୁ ସେ ଘର ଓ ନଗଦ ଟଙ୍କା ଦେଇଛନ୍ତି। ଏହାକୁ ଅନ୍ୟ ମହିଳାଜଣଙ୍କ ଗ୍ରହଣ ମଧ୍ୟ କରିନେଇଥିବା ଦେଖାଯାଇଛି।

୫୪ ବର୍ଷୀୟ ମହିଳାଜଣଙ୍କର ସ୍ବାମୀଙ୍କ ନିଧନ ହୋଇଯାଇଥିଲା। ଏହାପରେ ସେ ୪୨ବର୍ଷୀୟ ବ୍ୟକ୍ତିଙ୍କ ପ୍ରେମରେ ପଡ଼ିଥିଲେ। ବ୍ୟକ୍ତିଜଣଙ୍କ ତାଙ୍କ ସହ ଗୋଟିଏ ଅଫିସରେ କାମ କରୁଥିଲେ। ହେଲେ ବିବାହିତ ଥିବାରୁ ଧିରେ ଧିରେ ଏହା ପାରିବାରିକ କଳହର କାରଣ ପାଲଟିଥିଲା। ଫଳରେ ବ୍ୟକ୍ତିଙ୍କ ବଡ଼ ଝିଅ ଘରୋଇ କୋର୍ଟରେ ମା’ବାପାଙ୍କ କଳହ ନେଇ ଅଭିଯୋଗ କରିଥିଲେ। ସେଠାରେ ଏହି ମାମଲା ପରସ୍ପରର ସହମତିରେ ନିଆରା ଡିଲ୍‌ ସହ ତୁଟିଛି। ଦେଢ଼ କୋଟି ଟଙ୍କାର ପୁଞ୍ଜିରେ ୧୫୦୦ ବର୍ଗଫୁଟର ଡୁପ୍ଲେକ୍ସ ଘର ଏବଂ ୨୭ ଲକ୍ଷ ନଗଦ ଦେବା ପରେ ସ୍ବାମୀଙ୍କ ସହ ସମ୍ପର୍କ ତୁଟାଇବାକୁ ସ୍ତ୍ରୀ ରାଜି ହୋଇଯାଇଥିଲେ। ଏହି ଟଙ୍କାରେ ସେ ଝିଅମାନଙ୍କ ଲାଳନପାଳନ କରିବେ ବୋଲି କହିଥିଲେ।