Categories: Home Leftଖେଳ

ଗିଲେସ୍ପିଙ୍କ ବଡ଼ ବୟାନ: ପାକିସ୍ତାନ କ୍ରିକେଟ କୋଚ୍‌ ପଦବୀ ଛାଡ଼ିବାର କହିଲେ କାରଣ…

କରାଚୀ,୨ା୧: ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଜାସନ ଗିଲେପ୍ସିଙ୍କୁ କାହିଁକି ପାକିସ୍ତାନ କ୍ରିକେଟ ଦଳର କୋଚ୍‌ ପଦବୀ ଛାଡ଼ିବାକୁ ପଡ଼ିଥିଲା, ସେ ତାହାର କାରଣ ଦର୍ଶାଇଛନ୍ତି।

ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ସେ କହିଛନ୍ତି ତାଙ୍କ ୯ ମାସିଆ ସଂକ୍ଷିପ୍ତ କାର୍ଯ୍ୟକାଳ ସମୟରେ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି)ର ଅନେକ ପଦକ୍ଷେପକୁ ନେଇ ସେ ନିଜକୁ ଅପମାନିତମନେ କରିଥିଲେ।

ତନ୍ମଧ୍ୟରେ ହାଇପରଫର୍ମାନ୍ସ ରେଡ୍‌-ବଲ୍‌ କୋଚ୍‌ ପଦବୀରୁ ଟିମ୍‌ ନେଲସନଙ୍କୁ ବହିଷ୍କାର କରାଯିବା ଅନ୍ୟତମ। ୨୦୨୪ ଏପ୍ରିଲରେ ପିସିବି ଗିଲେପ୍ସିଙ୍କୁ ରେଡ୍‌-ବଲ୍‌ କ୍ରିକେଟର ମୁଖ୍ୟ କୋଚ୍‌ ଭାବେ ନିଯୁକ୍ତି ଦେଇଥିଲା।

ସେହିପରି ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ଗାରି କର୍ଷ୍ଟେନଙ୍କୁ ହ୍ବାଇଟ୍‌ ବଲ୍‌ ଫର୍ମାଟରେ ସମାନ ଦାୟିତ୍ୱ ପ୍ରଦାନ କରାଯାଇଥିଲା। ମାତ୍ର ଅକ୍ଟୋବରରେ କୌଣସି କାରଣରୁ କର୍ଷ୍ଟେନଙ୍କୁ ତାଙ୍କ ପଦବୀରୁ ଇସ୍ତଫା ପ୍ରଦାନ କରିଥିଲେ।

ଡିସେମ୍ବରରେ ୨୦୨୪-୨୫ ଦକ୍ଷିଣ ଆଫ୍ରିକା ଟୁର୍‌ ପୂର୍ବରୁ ନେଲସନଙ୍କର ଆଉ ଆବଶ୍ୟକତା ନାହିଁ ବୋଲି ପିସିବି ତାଙ୍କୁ କହିଥିଲା। ଗିଲେସ୍ପି କହିଛନ୍ତି, ସେ ପାକିସ୍ତାନ ଟେଷ୍ଟ ଦଳର କୋଚିଂ ଦାୟିତ୍ୱରେ ଥିବା ବେଳେ ଜଣେ ମୁଖ୍ୟ କୋଚ୍‌ ଭାବେ ତାଙ୍କ ଅଗଚୋରରେ ପିସିବି ତାଙ୍କ ସିନିୟର ସହକାରୀ କୋଚ୍‌ଙ୍କୁ ବହିଷ୍କାର କରିଥିଲା, ଯାହାକି ଆଦୌ ଗ୍ରହଣୀୟ ନୁହେଁ। ଏହାଛଡ଼ା ଆହୁରି ଅନେକ ପ୍ରସଙ୍ଗରେ ସେ ନିଜକୁ ଅପମାନ ବୋଧ କରିଛନ୍ତି।