Categories: Home Leftଖେଳ

ପଞ୍ଜାବ ପାଇଁ ରଣଜୀ ଖେଳିବେ ଗିଲ୍‌

ନୂଆଦିଲ୍ଲୀ,୧୯।୧- ନ୍ୟୁଜିଲାଣ୍ଡଠାରୁ ୨-୧ ବ୍ୟବଧାନରେ ଦିନିକିଆ ସିରିଜ୍‌ରେ ପରାଜିତ ହେବା ପରେ ଭାରତର ଟେଷ୍ଟ ଓ ଦିନିକିଆ ଅଧିନାୟକ ଶୁବମନ ଗିଲ୍‌ କ୍ରିକେଟରୁ ବ୍ରେକ ନେବା ବଦଳରେ ରଣଜୀ ଟ୍ରଫିରେ ଖେଳିବାକୁ ନିଷ୍ପତ୍ତି ନେଇଛନ୍ତି।

ଆସନ୍ତା ଗୁରୁବାରଠାରୁ ରାଜକୋଟରେ ସୌରାଷ୍ଟ୍ର ବିପକ୍ଷରେ ଖେଳାଯିବାକୁ ଥିବା ଗ୍ରୁପ୍‌-ବି’ ମ୍ୟାଚ୍‌ରେ ପଞ୍ଜାବ ପାଇଁ ସେ ଖେଳିବେ। ଦେଶର ପ୍ରମୁଖ ଘରୋଇ ଟୁର୍ନାମେଣ୍ଟର ନକ୍‌ଆଉଟ୍‌ ପର୍ଯ୍ୟାୟକୁ ଉନ୍ନୀତ ହେବା ପାଇଁ ପଞ୍ଜାବ ଦଳର ସାହାଯ୍ୟ କରିବାକୁ ଗିଲ ଇଚ୍ଛା ପ୍ରକଟ କରିଛନ୍ତି।

ସେ ବର୍ତ୍ତମାନ ଇନ୍ଦୋର ଥିବା ବେଳେ ରାଜକୋଟକୁ ଏବେ କୌଣସି ସିଧାସଳଖ ଫ୍ଲାଇଟ୍‌ ନାହିଁ। ଏଣୁ ତାଙ୍କୁ ରାଜକୋଟରେ ତାଙ୍କୁ ପହଞ୍ଚିବା ପାଇଁ ୮ ଘଣ୍ଟା ଲାଗିବ ବୋଲି ପଞ୍ଜାବ ଦଳର ସୂତ୍ରରୁ କୁହାଯାଇଛି।

ପଞ୍ଜାବ ବର୍ତ୍ତମାନ ଗ୍ରୁପ୍‌-ବି’ରେ ୫ ମ୍ୟାଚ୍‌ରେ ୧୧ ପଏଣ୍ଟ ସହ ଷଷ୍ଠ ସ୍ଥାନରେ ରହିଛି। ନକ୍‌ଆଉଟ୍‌ ରାଉଣ୍ଡରେ ସ୍ଥାନ ପକ୍କା କରିବା ଲାଗି ଦଳକୁ ତା’ର ବଳକା ୩ ମ୍ୟାଚ୍‌ରେ ନିଶ୍ଚିତ ବିଜୟ ଦରକାର। ଗିଲଙ୍କ ଫେରିବା ଦ୍ୱାରା ପଞ୍ଜାବ ଦଳର ବ୍ୟାଟିଂ ଲାଇନ-ଅପ୍‌ ଶକ୍ତିଶାଳୀ ହେବ।

Share
Tags: Shubman Gill