ନୂଆଦିଲ୍ଲୀ,୧୦ା୫: ଭାରତୀୟ ଟେଷ୍ଟ କ୍ରିକେଟ ଦଳର ଅଧିନାୟକ ପଦବୀରୁ ରୋହିତ ଶର୍ମାଙ୍କ ଅବସର ଘୋଷଣା ପରେ ଏହି ସ୍ଥାନ ପୂରଣ କରିପାରନ୍ତି ପ୍ରତିଭାସମ୍ପନ୍ନ ବ୍ୟାଟର ଶୁବମନ ଗିଲ୍। ବିଦେଶ ମାଟିରେ ଭଲ ପ୍ରଦର୍ଶନ କରିପାରୁଥିବା ବିସ୍ଫୋରକ କିପର-ବ୍ୟାଟର ରିଷଭ ପନ୍ତଙ୍କୁ ଉପ-ଅଧିନାୟକ ଦାୟିତ୍ୱ ମିଳିପାରେ।
୪୨ରୁ ଅଧିକ ଆଭରେଜ୍ ରଖିଥିବା ପନ୍ତ ଅଷ୍ଟ୍ରେଲିଆ, ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକାରେ ଶତକ ହାସଲ କରିପାରିଛନ୍ତି। ତାଙ୍କର ୭ଟି ସ୍କୋର ୯୦ରୁ ୯୯ ମଧ୍ୟରେ ରହିଛି। ଏଥିଯୋଗୁ ପନ୍ତଙ୍କୁ ଏହି ଫର୍ମାଟରେ ଅନ୍ୟତମ ଶ୍ରେଷ୍ଠ ବ୍ୟାଟର ବିବେଚନା କରାଯାଉଛି। ବୁମ୍ରାଙ୍କୁ ଯଦି ଅଧିନାୟକ କରା ନ ଯାଉଛି ତେବେ ତାଙ୍କୁ ଉପଅଧିନାୟକ କରାଯିବାର ପ୍ରଶ୍ନ ଉଠୁନାହିଁ ବୋଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ର ଏକ ସୂତ୍ରରୁ ପ୍ରକାଶ। ବିରାଟ କୋହଲି ନିକଟ ଭବିଷ୍ୟତରେ ଟେଷ୍ଟ କ୍ରିକେଟରୁ ଅବସର ନେବାକୁ ଇଚ୍ଛା ପ୍ରକାଶ କରିଥିବାରୁ ସିଲେକ୍ଶନ କମିଟି ତାଙ୍କୁ ଇଂଲଣ୍ଡ ଟୁର୍ ପାଇଁ ଅଧିନାୟକ କରିବାକୁ ଚାହିଁବ ନାହିଁ। ବରଂ ଗିଲ୍ଙ୍କୁ ନେତୃତ୍ୱ ଦେଲେ ସେ ଅଭିଜ୍ଞତା ହାସଲ କରିବେ। ଏହା ତାଙ୍କୁ ଆଗକୁ ବଢ଼ିବାରେ ସହାୟକ ହେବ।