କୋରାପୁଟିଆ କଳାଜିରା ଧାନକୁ ମିଳିବ ଜିଆଇ ଟ୍ୟାଗ

କୋରାପୁଟ,୩ା୯(ଅମିତାଭ ବେହେରା)କୋରାପୁଟ ଜିଲା ପାଇଁ ଆସିଛି ଖୁସି ଖବର। କୋରାପୁଟରେ ଉତ୍ପାଦିତ ହେଉଥିବା କୋରାପୁଟିଆ ବିରଳ କଳାଜିରା ଧାନକୁ ମିଳିବ ଜିଆଇ ଟ୍ୟାଗ। କୋରାପୁଟର କଫି, ଝାଡୁ, ସାବୁନ, ହଳଦୀ ପରେ ବିରଳ ଧାନ କଳାଜିରା ଚାଉଳକୁ ଜିଆଇ ଟ୍ୟାଗ ମାନ୍ୟତା ମିଳିବାକୁ ଯାଉଛି। ଏହି ଅବସରରେ ଓଡିଶାର ୭ଟି ଉପତ୍ାଦକୁ ଜିଆଇ ଟ୍ୟାଗ ମାନ୍ୟତା ମିଳିବାକୁ ତାଲିକାଭୁକ୍ତ କରାଯାଇଥିବା ଜଣାପଡିଛି। ସେଗୁଡିକ ହେଲା କୋରାପୁଟର କଳା ଜିରା ଧାନ, ଲାଞ୍ଜିଆ ସଉରାଙ୍କ ପଟ୍ଟଚିତ୍ର, ଢେଙ୍କାନାଳର ମଗଜ ଲଡୁ, ଶିମିଳିପାଳର କାଇଚଟଣି, ନୟାଗଡର କଣ୍ଟେଇମୁଣ୍ଡି ବାଇଗଣ , ଡଙ୍ଗରିଆଙ୍କ ହାତବୁଣା ଚାଦର, ଓଡିଶାର ଖଜୁରିଗୁଡ। ଆସନ୍ତା ୩ ମାସ ମଧ୍ୟରେ ଏସବୁ ଉପତ୍ାଦଗୁଡିକ ଉପରେ କୌଣସି ଆପତି ଅଭିଯୋଗ ନ ଆସିଲେ ଜିଆଇ ଟ୍ୟାଗ ମିଳିବ ବୋଲି ଜଣାପଡିଛି।

ପ୍ରକାଶ ଯେ, ଗତ କିଛି ମାସ ତଳେ କୋରାପୁଟ ଜିଲାର କଳାବତୀ ଧାନ ଯାହା ମଧୁମେହ ଓ କ୍ୟାନସର ଭଳି ମାରାତ୍ମକ ରୋଗର ଅମୂଲ୍ୟ ଔଷଧ ରୂପେ ବିବେଚିତ ହୋଇଛି ତାହାକୁ ଆସାମ ବିଶ୍ୱବିଦ୍ୟାଳୟ ଜିଲାର ଜୈବିକଶ୍ରୀ କୃଷି ଉପତ୍ାଦକ କମ୍ପାନୀ ମାଧ୍ୟମରେ ୫୫ କୁଇଣ୍ଟାଲ ଧାନ ଆସାମ କୃଷି ବିଶ୍ୱବିଦ୍ୟାଳକୁ ବିକ୍ରୟ କରାଯାଇଛି। ସେହିପରି କୋରାପୁଟ ଜିଲାର କଳା ଜିରା ଚାଉଳରେ ଗୁଣାତ୍ମକମାନ ଅଧିକ ଥିବାରୁ ଏହା ଖିରି ଓ ବିରିଆନି ପ୍ରସ୍ତୁତିରେ ବ୍ୟବହୃତ ହୋଇଥାଏ ା ପ୍ରାକୃତିକ ଦୁର୍ବିପାକକୁ ସହ୍ୟ କରିବାରେ ଏହି ଧାନର କ୍ଷମତା ଅନ୍ୟ ଧାନଠାରୁ ଯଥେଷ୍ଟ ଅଧିକ ରହିଥିବା କୋରାପୁଟସ୍ଥିତ ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଜୈବ ବିବିଧତା ବିଭାଗର ଅଧ୍ୟୟନରୁ ସ୍ପଷ୍ଟ ହୋଇଛି। ଜିଲାର ୧୬୦ ପ୍ରକାରର ଧାନର ଗୁଣବତାକୁ ନେଇ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଗବେଷଣା କରିଥିଲା ା ତେବେ କଳା ଜିରା ଧାନରେ ବିଭିନ୍ନ ଔଷଧୀୟ ଗୁଣ ରହିଥିବା ବିଶ୍ୱବିଦ୍ୟାଳୟ ପକ୍ଷରୁ ଏକ ରିର୍ପୋଟରେ ଦର୍ଶାଯାଇଛି। ଏହାକୁ ନେଇ ବଜାରରେ ଏହି ଧାନର ଚାହିଦା ବେଶ ଅଧିକ ରହିଛି। ଏହି ଧାନ କୋରାପୁଟରେ ବହୁଳ ଭାବେ ଚାଷ କରାଯାଉଥିବା ବେଳେ ଦିନକୁ ଦିନ ଏହାର ଆଦର ଜିଲା ସମେତ ଜିଲା ବାହାରର ବଜାରରେ ବୃଦ୍ଧି ପାଇବାରେ ଲାଗଛି। ଏକର ପିଛା ଏହା ୫ରୁ ୧୦ କୁଇଣ୍ଟାଲ ଧାନ ଅମଳ ହେଉଥିବା ବେଳେ ଅମଳ ପାଇଁ ଏହି ଧାନ ୧୪୦ରୁ ୧୫୫ ଦିନ ସମୟ ନେଇଥାଏ। ଏହି ବିରଳ ଧାନକୁ ଆନ୍ତର୍ଜାତୀୟ ବଜାରରେ ସ୍ଥାନ ଦେବା ତଥା ଜିଆଇ ଟ୍ୟାଗ ମାନ୍ୟତା ନେଇ ଜିଲା ପ୍ରଶାସନ ଓ ବିଭିନ୍ନ ସାମାଜିକ ସଙ୍ଗଠନ ପକ୍ଷରୁ ପୟାସ କରାଯାଇଥିଲା। ଏହାକୁ ଜିଆଇ ଟ୍ୟାଗ ମିଳିବା ନେଇ ତାଲିକାଭୁକ୍ତ ହେବା ଜଣାପଡିବା ପରେ କୋରାପୁଟରେ ଖୁସିର ଲହରୀ ଖେଳିଯାଇଛି ା ଏହି ଧାନ କୋରାପୁଟ ଜିଲାର ବିଶେଷ କରି ଜୟପୁର, କୋଟପାଡ, ବୋରିଗୁମ୍ମା, ବୈପାରିଗୁଡା ଆଦି ବ୍ଲକରେ ବହୁଳ ଭାବେ ଚାଷ କରାଯାଇଥାଏ। ଜିଲାର ୧୪ଟି ବ୍ଲକର ପ୍ରାୟ ୧୮ଶହ ଚାଷୀ କଳାଜିରା ଧାନ ଚାଷ କରି ବାର୍ଷିକ ୧୦୦ କୁଇଣ୍ଟାଲ ଧାନ ଅମଳ କରିଥାନ୍ତି। ଏବେ ଜିଲା ପ୍ରଶାସନ କଳାଜିରା ଧାନ ଭଳି ଅନ୍ୟ ବିରଳ ଧାନଗୁଡିକୁ ଚାଷ କରିବାକୁ ଚାଷୀଙ୍କୁ ପ୍ରୋତ୍ସାହିତ କଲେ ଅନେକ ବିରଳ କିସମର ଧାନ ଓଡିଶା ପାଇଁ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବ ବୋଲି ଧାନ ଗବେଷକମାନେ ପ୍ରକାଶ କରିଛନ୍ତି।