ନୂଆପଡ଼ା,୩ା୩(ମକାରୁ ବେମାଲ):ନୂଆପଡ଼ା ସଦର ମହକୁମା ଏକତା ଛକଠାରେ ଥିବା ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ଘାସିରାମ ମଝିଙ୍କ ପ୍ରତିମୂର୍ତ୍ତି ସୋମବାର ଟ୍ରକ୍ ଧକ୍କାରେ ଭାଙ୍ଗିଯାଇଛି। ସୂଚନା ଅନୁଯାୟୀ ସକାଳେ ଏକ ଟ୍ରକ୍ ପଦ୍ମପୁର ପଟୁ ଆସି ଖଡ଼ିଆଳ ଅଭିମୁଖେ ଯାଉଥିଲା। ଏକତା ଛକ ଅତିକ୍ରମ ସମୟରେ ଟ୍ରକ୍ର ପଛଭାଗ ପ୍ରତିମୂର୍ତ୍ତିରେ ପିଟିହେବାରୁ ତାହା ଭାଙ୍ଗିଯାଇ ତଳେ ପଡିଛି। ସୂଚନାଯୋଗ୍ୟ ନୂଆପଡ଼ା ସହର ଦେଇ ଯାଇଥିବା ୩୫୩ ନମ୍ବର ଜାତୀୟ ରାଜପଥ ସହ ଏକତାଛକ ନିକଟରେ ରାଉରକେଲା ଜଗଦଲପୁର ବିଜୁ ଏକ୍ସପ୍ରେସ ଯୋଡିହେଉଛି। ଏହି ଛକଦେଇ ଅନେକ ଭାରିଯାନ ଚଳାଚଳ କରିଥାଏ। ଅଣଓସାରିଆ ରାସ୍ତା ହୋଇଥିବାରୁ ପ୍ରତିଦିନ ଛୋଟବଡ଼ ଦୁର୍ଘଟଣା ଘଟିବାରେ ଲାଗିଛି। ସେଠାରେ ସ୍ବୟଂ ଚଳିତ ଟ୍ରାଫିକ ସିଗ୍ନାଲ ଲାଗିଥିଲେ ମଧ୍ୟ ଲୋକେ ଅନୂପାଳନ କରୁ ନ ଥିବାରୁ ଦୁର୍ଘଟଣା ଘଟୁଥିବା କୁହାଯାଉଛି। ଖବର ପାଇ ନୂଆପଡ଼ା ସଦର ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ଦୁର୍ଘଟଣା ଘଟାଇଥିବା ଟ୍ରକ୍ ଓ ଚାଳକଙ୍କୁ ଥାନାରେ ଅଟକ ରଖିଛି।