Germany Election 2025: ଜର୍ମାନୀର ନୂଆ ଚାନ୍ସଲର ହେବେ ଫ୍ରେଡରିକ ମର୍ଜ, ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ପ୍ରଥମ ଦକ୍ଷିଣପନ୍ଥୀ ସରକାର

ବର୍ଲିନ,୨୪।୨: ରବିବାର ଜର୍ମାନୀରେ ଅନୁଷ୍ଠିତ ୨୦୨୫ ଜାତୀୟ ନିର୍ବାଚନରେ ଚାନ୍ସେଲର ଓଲାଫ ସ୍କଲଜଙ୍କ ସୋସିଆଲ ଡେମୋକ୍ରାଟିକ ପାର୍ଟି (ଏସପିଡି) ଏକ ବଡ଼ ପରାଜୟ ବରଣ କରିଛି। ସଦ୍ୟତମ ଏକଜିଟ ପୋଲ ଅନୁଯାୟୀ, ବିରୋଧୀ ନେତା ଫ୍ରେଡ୍ରିଚ ମର୍ଜଙ୍କ ଖ୍ରୀଷ୍ଟିଆନ ଡେମୋକ୍ରାଟିକ ୟୁନିଅନ (CDU) ଏବଂ ଏହାର ସହଯୋଗୀ ଦଳ, ଖ୍ରୀଷ୍ଟିଆନ ସୋସିଆଲ ୟୁନିଅନ (CSU) ବିଜୟ ଆଡ଼କୁ ଅଗ୍ରସର ହେଉଛନ୍ତି। ଯଦି ମର୍ଜଙ୍କ ଦଳ ବିଜୟୀ ହୁଏ, ତେବେ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଏହା ପ୍ରଥମ ଥର ହେବ ଯେ ଜର୍ମାନୀରେ ଏକ ଦକ୍ଷିଣପନ୍ଥୀ ଦଳ କ୍ଷମତାକୁ ଫେରିବ।
ନ୍ୟୁଜ ଏଜେନ୍ସି ସିହ୍ନୁଆ ଅନୁଯାୟୀ, ନୂତନ ସର୍ଭେ ଦର୍ଶାଉଛି ଯେ CDU ଏବଂ CSU ଦଳଗୁଡ଼ିକ ୨୯ ପ୍ରତିଶତ ସମର୍ଥନ ସହିତ ଆଗରେ ଅଛନ୍ତି। ଯେତେବେଳେ ଅଲଟରନେଟିଭ ଫର୍‌ ଜର୍ମାନୀ (AfD)କୁ ୨୧ ପ୍ରତିଶତ ସମର୍ଥନ ମିଳିଛି ଏବଂ ଚାନ୍ସେଲର ଓଲାଫ ସ୍କଲଜଙ୍କ ଦଳ SPDକୁ କେବଳ ୧୫ ପ୍ରତିଶତ ସମର୍ଥନ ମିଳିଛି। ତଥାପି, ୨୨ ପ୍ରତିଶତ ଉତ୍ତରଦାତା ଏପର୍ଯ୍ୟନ୍ତ ଅନିଶ୍ଚିତ ଥିଲେ, ଯାହା ଚୂଡ଼ାନ୍ତ ଫଳାଫଳ ଉପରେ ସନ୍ଦେହ ସୃଷ୍ଟି କରିଥିଲା।
ଚାନ୍ସେଲର ଓଲାଫ ସ୍କଲଜ ତାଙ୍କ ପରାଜୟକୁ ସ୍ବୀକାର କରି କହିଛନ୍ତି: ‘ଏହା ଆମ ପାଇଁ ଏକ ତିକ୍ତ ନିର୍ବାଚନ ଫଳାଫଳ।’ ଏକଜିଟ ପୋଲ ଆଧାରରେ ସ୍କଲଜ ନିର୍ବାଚନ ପରାଜୟକୁ ତାଙ୍କ ଦଳ ପାଇଁ ଏକ ଯନ୍ତ୍ରଣାଦାୟକ ପରାଜୟ ବୋଲି ବର୍ଣ୍ଣନା କରିଛନ୍ତି। ଅନ୍ୟପକ୍ଷରେ, ଫ୍ରେଡ୍ରିଚ ମର୍ଜ ନିର୍ବାଚନରେ ତାଙ୍କ ଦଳର ବିଜୟ ଦାବି କରିଛନ୍ତି ଏବଂ କହିଛନ୍ତି ଯେ ତାଙ୍କ ଦଳ ଖୁବ ଶୀଘ୍ର ଏକ ଶାସକ ମେଣ୍ଟ ଗଠନ କରିବ।
‘ଆମେ ଏହି ବୁଣ୍ଡେଷ୍ଟାଗ ନିର୍ବାଚନ ଏବଂ ସରକାରୀ ଦାୟିତ୍ୱ ନେବା ପାଇଁ ନିଜକୁ ବହୁତ ଭଲ ଭାବରେ ପ୍ରସ୍ତୁତ କରିଛୁ,’ ଫ୍ରେଡ୍ରିଚ ମର୍ଜ କହିଛନ୍ତି। ସେମାନଙ୍କର ଲକ୍ଷ୍ୟ ହେଉଛି ଯଥାଶୀଘ୍ର ଏକ ସ୍ଥିର ଶାସନ ମେଣ୍ଟ ଗଠନ କରିବା, ଯାହା ଦ୍ୱାରା ଜର୍ମାନୀରେ ଏକ ନୂତନ ସରକାର ଗଠନ କରାଯାଇପାରିବ।