ସୋନିଆଙ୍କ ବାସଭନରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୧୨।୧୧: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଆଶୋକ ଗେହଲଟ ଗୁରୁବାର କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଦିଲ୍ଲୀ ବାସଭନରେ ଭେଟିଛନ୍ତି। ରାଜସ୍ଥାନର ରାଜନୈତିକ ସ୍ଥିତି ଓ କ୍ୟାବିନେଟ୍‌ ସମ୍ପ୍ରସାରଣ ନେଇ ଦୁଇନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିବା ଜଣାପଡ଼ିଛି।
ରାଜସ୍ଥାନରେ ଆଗାମୀ କିଛିଦିନ ମଧ୍ୟରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରାଯିବ। ଏଥିଲାଗି ବିଭିନ୍ନ ବିଷୟକୁ ନେଇ ବିଚାରବିମର୍ଶ ଚାଲିଛି। ବିଶେଷକରି ‘ଓ୍ବାନ୍‌ ମ୍ୟାନ୍‌ ଓ୍ବାନ୍‌ ପୋଷ୍ଟ’ ଫର୍ମୁଲା ଉପରେ ଚିନ୍ତା କରାଯାଉଛି। ରାଜ୍ୟରେ ସୁଶାସନ ବଜାୟ ରଖିବା ଉପରେ ଗୁରୁତ୍ୱ ଦିଆଯାଉଛି ବୋଲି ଗେହଲଟ କହିଛନ୍ତି। ଗେହଲଟ୍‌ ଏହା ପୂର୍ବରୁ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ରାଜସ୍ଥାନ ପ୍ରଭାରୀ ଅଜୟ ମାକେନ, ଏଆଇସିସି ଜେନେରାଲ ସେକ୍ରେଟାରି କେ.ସି. ବେଣୁଗୋପାଳଙ୍କୁ ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ବାସଭବନରେ ବୁଧବାର ରାତିରେ ଭେଟିଥିଲେ। ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ କହିଛନ୍ତି, ଏଆଇସିସି ସହ ସେ ଲଗାତର ଯୋଗାଯୋଗରେ ଅଛନ୍ତି। ରାଜସ୍ଥାନ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ଖୁବ୍‌ଶୀଘ୍ର ନିଷ୍ପତ୍ତି ହୋଇପାରେ।