ଜିଡିପି ଓ ସମୃଦ୍ଧି

ମୁଖ୍ୟଧାରାର ଅର୍ଥନୀତିରେ ବିଶ୍ଳେଷଣଲବ୍ଧ ତଥ୍ୟର ବ୍ୟାଖ୍ୟାତ୍ମକ ଅର୍ଥାତ୍‌ ଅନୁଧ୍ୟାନ, ସଂକ୍ଷେପରେ ପ୍ରକାଶ କରିବା ଏବଂ ଉପସ୍ଥାପନକୁ ନିୟମିତ ଭାବେ ଗୌଣ କରିଦିଆଯାଉଛି। ଗୋଟିଏ କାମକୁ ସମ୍ପୂର୍ଣ୍ଣ ବ୍ୟାଖ୍ୟାତ୍ମକ ଭାବେ ବିବେଚନା କରିବା ଗୁରୁତ୍ୱପୂର୍ଣ୍ଣ ନୁହେଁ ବୋଲି ସୂଚିତ କରାଯାଉଛି। ତଥାପି ନୋବେଲ ବିଜେତା ଅର୍ଥନୀତିଜ୍ଞ ଅମର୍ତ୍ତ୍ୟସେନ ୧୯୮୦ ମସିହାର ଏକ ଗବେଷଣାତ୍ମକ ଲେଖାରେ ମତ ଦେଇଥିଲେ ଯେ, ବ୍ୟାଖ୍ୟାର ପ୍ରତ୍ୟେକ କାର୍ଯ୍ୟ ସହ ବିକଳ୍ପଗୁଡ଼ିକ ଜଡ଼ିତ ରହିଛି। ଏକ ଐତିହାସିକ ଘଟଣା ହେଉ ଅବା ବ୍ୟକ୍ତିଗତ ଘଟଣା କିମ୍ବା ଏକ ଦେଶ ସମ୍ପର୍କରେ ବ୍ୟାଖ୍ୟା କଲାବେଳେ ସେଥିରେ ଆମେ କ’ଣ ସାମିଲ କରିବାକୁ ବା ବାଦ୍‌ଦେବାକୁ ଚାହଁୁ, ତାହା ହିଁ ଗୁରୁତ୍ୱପୂର୍ଣ୍ଣ। ବ୍ୟାଖ୍ୟା ଏକ ଦୃଷ୍ଟିକୋଣ ବା ମତ ସୃଷ୍ଟି କରେ ଏବଂ ଅପରପଟେ ଦୃଷ୍ଟିକୋଣ ବି ବ୍ୟବହାରକୁ ଅତ୍ୟଧିକ ପ୍ରଭାବିତ କରିପାରେ।

ଗୋଟିଏ ଦେଶର ଅର୍ଥ ବ୍ୟବସ୍ଥାର ସ୍ଥିତିକୁ ବ୍ୟାଖ୍ୟା କରିବା ଏକ ଜଟିଳ କାମ। ଅତୀତରେ ଗୋଟିଏ ଦେଶ ଅନ୍ୟଠାରୁ ଭଲ କରୁଛି କି ନାହିଁ ତାହା ଉପରେ ବିତର୍କ କରି ଅତୀତରେ ବିଶେଷଜ୍ଞମାନେ ବହି ଲେଖିଛନ୍ତି। କିନ୍ତୁ ସମୟକ୍ରମେ, ଗୋଟିଏ ମୂଲ୍ୟାଙ୍କନ (ମାପଦଣ୍ଡ) ଆଲୋଚନାରେ ପ୍ରାଧାନ୍ୟ ବସ୍ତାର କରିଛି, ତାହା ହେଉଛି ମୋଟ ଘରୋଇ ଉତ୍ପାଦ ବା ଜିଡିପି, ଯାହା ଗୋଟିଏ ବର୍ଷରେ ଏକ ଦେଶ ମଧ୍ୟରେ ଉତ୍ପାଦିତ ସମସ୍ତ ସାମଗ୍ରୀ ଓ ସେବା ମୂଲ୍ୟକୁ ସୂଚିତ କରେ। କିଛି ସୁଧାର ସହିତ ଏହା ମଧ୍ୟ ଜନସଂଖ୍ୟାର ସମସ୍ତ ଆୟକୁ ଆକଳନ କରିଥାଏ। ଏହା ହେଉଛି ଏକ ସ୍ପଷ୍ଟ ମାନଦଣ୍ଡ, ଯାହା ବହୁ ସମୟରେ ଏକ ସୁସ୍ଥ ଅର୍ଥନୀତି ପାଇଁ ଶର୍ଟହ୍ୟାଣ୍ଡ ଭାବେ ବ୍ୟବହାର କରାଯାଏ। ଡିଆନେ କୋୟେଲ ୨୦୧୪ରେ ତାଙ୍କ ପ୍ରକାଶିତ ପୁସ୍ତକରେ ଜିଡିପିର ଇତିହାସ ସମ୍ପର୍କରେ ଉଲ୍ଲେଖ କରିଥିଲେ ଏବଂ ଆର୍ଥିକ ନୀତିନିର୍ଦ୍ଧାରଣରେ ଏହାର ଅତ୍ୟାବଶ୍ୟକକୁ ଗୁରୁତ୍ୱପୂର୍ଣ୍ଣ ବୋଲି ସୂଚିତ କରିଥିଲେ। ୧୯୩୦ ଦଶନ୍ଧି ପ୍ରାରମ୍ଭରେ ସିମନ କୁଜନେଟ୍‌ସ କହିଥିଲେ ଯେ, ନୀତି ବିତର୍କ ପାଇଁ ନୀତିଗତ ଭାବେ ଜିଡିପି ଉପରେ ବିଚାର ଓ ଆକଳନର ବହୁ ଆବଶ୍ୟକତା ରହିଛି। ରାଜନେତାମାନେ ଉଚ୍ଚା କୋଠାକୁ ଦେଶର ପ୍ରଗତି ଓ ସମୃଦ୍ଧି ଭାବେ ଦର୍ଶାଇ ପାରୁ ନ ଥିଲେ (ଏବେସୁଦ୍ଧା ଅନେକେ ଏମିତି କରୁଛନ୍ତି)। ଏବେ ଗୋଟିଏ ସମୟରେ ଗୋଟିଏ ଦେଶର ଆର୍ଥିକ ପ୍ରଦର୍ଶନ ଉପରେ ଆକଳନ କରିବା ମାନେ ଏହାର ଜିଡିପି ଅଭିବୃଦ୍ଧିକୁ ବୁଝିବା ଓ ପ୍ରଦର୍ଶନ କରିବା। ଏହା ନିଶ୍ଚିତ ଯେ, ଜାତୀୟ ସମୃଦ୍ଧି କିମ୍ବା ସଫଳତା ଆକଳନ କରିବା ପାଇଁ ଅନ୍ୟ ଉପାୟ ସବୁ ରହିଛି। ଯଥା ଜାତିସଂଘର ମାନବ ବିକାଶ ସୂଚକାଙ୍କ ଏବଂ ବିଶ୍ୱବ୍ୟାଙ୍କର ସହଭାଗୀ ସମୃଦ୍ଧି ସୂଚକାଙ୍କ। କିନ୍ତୁ ଗୋଟିଏ ଅର୍ଥ ବ୍ୟବସ୍ଥା ଅନ୍ୟଠାରୁ ବହୁତ ଭଲ ପ୍ରଦର୍ଶନ କରୁଛି କି ନାହିଁ ତାହା ନିର୍ଣ୍ଣୟ କରିବାବେଳେ ଜିଡିପି (କିମ୍ବା ମୁଣ୍ଡପିଚ୍ଛା ଜିଡିପି) ତ୍ରୁଟିପୂର୍ଣ୍ଣ ମାପଦଣ୍ଡ ହୋଇଥାଏ।

ଏହା ନିଃସନ୍ଦେହ ଯେ, ଆଧୁନିକ ତଥା ବିକଶିତ ଅର୍ଥନୀତିରେ ଜିଡିପି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। କିନ୍ତୁ ଏହା ସ୍ବୀକାର୍ଯ୍ୟ ଯେ, ଏହାର ନିୟନ୍ତ୍ରଣ ଦିନକୁ ଦିନ କଠିନ ହୋଇଯାଉଛି। ସମୟକ୍ରମେ, ଏହା ଏକ ଲକ୍ଷ୍ୟ ପାଲଟିଯାଇଛି। ଲମ୍ବା ସମୟ ଧରି ରହିଥିବା ସାମାଜିକ ଓ ଆର୍ଥିକ ଦୁର୍ବଳ ସ୍ଥିତିରୁ ଦୃଷ୍ଟି ହଟାଇବା ପାଇଁ ଜିଡିପି ଅଭିବୃଦ୍ଧି ତଥ୍ୟକୁ ରାଜନେତାମାନେ ବ୍ୟବହାର କରିବାକୁ ସକ୍ଷମ ହୋଇଛନ୍ତି। ଜିଡିପି କୈନ୍ଦ୍ରିକ ନୀତିବିଚାରରେ ବଢୁଥିବା ସମସ୍ୟା ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସଙ୍କ ୨୦୨୧ ରିପୋର୍ଟ ‘ଆମ ସାଧାରଣ କାର୍ଯ୍ୟସୂଚୀ’ରେ ପ୍ରକାଶ କରାଯାଇଥିଲା ଏବଂ ବିଶ୍ୱସ୍ତରରେ ନୀତି ନିର୍ଦ୍ଧାରକମାନେ ଏକ ବ୍ୟାପକ ଶ୍ରେଣୀର ପ୍ରଗତି ମାନାଙ୍କ ଗ୍ରହଣ କରିବାକୁ ଏଥିରେ କୁହାଯାଇଥିଲା।

ଏକ ଆର୍ଥିକ ସୂଚକାଙ୍କ ଭାବେ ଜିଡିପିର ତିନୋଟି ଦୁର୍ବଳତା ରହିଛି। ପ୍ରଥମେ, ଦେଶର ମୋଟ ଆୟ ଉପରେ କେବଳ ଗୁରୁତ୍ୱ ଦେଇ ଏହା ବ୍ୟାପକ ସମୃଦ୍ଧିର ଦ୍ୱନ୍ଦ୍ୱ ସୃଷ୍ଟି କରିପାରେ, ଏପରି କି ଅସମାନତା ବୃଦ୍ଧି ପାଉଥିବା ସମୟରେ ମଧ୍ୟ। ଏପରି କି ବହୁ ସଂଖ୍ୟକ ଲୋକ ଏକ ବିପରୀତ ତଥା ଅନଗ୍ରସର ସ୍ଥିତିରେ ରହିଥିଲେ ମଧ୍ୟ ମୁଣ୍ଡପଚ୍ଛା ଜିଡିପି ବୃଦ୍ଧିକୁ ଦର୍ଶାଯାଇପାରେ। ଜୋଶେଫ ଇ. ଷ୍ଟିଗଲିଜ ୨୦୧୦ରେ ପ୍ରକାଶିତ ତାଙ୍କ ପୁସ୍ତକ ‘ଫ୍ରିଫଲ୍‌’ରେ ଉଲ୍ଲେଖ କରିଥିଲେ ଯେ, ଗୋଟିଏ ବଡ଼ ପିଜା ସମସ୍ତଙ୍କ ପାଇଁ କିମ୍ବା ଅଧିକାଂଶ ଲୋକଙ୍କ ଲାଗି ଆବଶ୍ୟକ ହୁଏ ନାହିଁ, ଏଥିରୁ ଏକ ବଡ଼ ଅଂଶ ନିଆଯାଇପାରେ। ସେହିଭଳି ଅଧିକାଂଶ ଲୋକ ଜିଡିପି ଅଭିବୃଦ୍ଧିରେ କାହାର ଲାଭ ହେଉଛି କି ନାହିଁ ତାହା ଉପରେ ପ୍ରଶ୍ନ ନ ଉଠାଇ ଅଭିବୃଦ୍ଧିକୁ ନେଇ ଉତ୍ସବ ପାଳନ କରନ୍ତି, ଯାହା ସେମାନଙ୍କ ଦେଶ ଅଲିମ୍ପିକ୍ସରେ ମେଡାଲ ଜିତିଲା ଭଳି ଖୁସି ସହ ସମାନ ହୋଇଥାଏ। ୨୦୦୮ରେ ସେତେବେଳର ଫ୍ରାନ୍ସ ରାଷ୍ଟ୍ରପତି ନିକୋଲାସ ସାର୍କୋଜିଙ୍କ ସମେତ ଷ୍ଟିଗଲିଜ ଓ ସେନ୍‌ ତଥା ଅନ୍ୟ ବିଶିଷ୍ଟ ଅର୍ଥନୀତିଜ୍ଞଙ୍କ ଦ୍ୱାରା ଗଠନ କରାଯାଇଥିବା କମିଶନ ଅନ୍‌ ମେଜର୍‌ମେଣ୍ଟ ଅଫ୍‌ ଇକୋନୋମିକ ପର୍‌ଫର୍ମାନ୍ସ ଆଣ୍ଡ୍‌ ସୋସିଆଲ ପ୍ରୋଗ୍ରେସ ଦ୍ୱାରା ଏହି ସମସ୍ୟାକୁ ସାମ୍ନାକୁ ଅଣାଯାଇଥିଲା। ଏହାର ଚୂଡ଼ାନ୍ତ ରିପୋର୍ଟରେ ଆୟ ବଣ୍ଟନ ଓ ଅସମାନତାକୁ ଜିଡିପିରେ ସାମିଲ କରିବାର ପଦକ୍ଷେପ ନେବାକୁ କୁହାଯାଇଥିଲା।

ଜିଡିପିର ଦ୍ୱିତୀୟ ଦୁର୍ବଳତା ହେଉଛି ଏହାର ଅତ୍ୟଧିକ ଅଭିବୃଦ୍ଧି ବହୁ ସମୟରେ ବିଭିନ୍ନ କାର୍ଯ୍ୟକଳାପକୁ ପ୍ରଶଂସା କରେ, ଯାହା ଗଣତାନ୍ତ୍ରିକ ସରକାରକୁ ଦୁର୍ବଳ କରିଥାଏ। ଜଣେ ବିଶେଷ ଧନୀ ଅଧିକ କାର୍‌, ଘର, ପ୍ଲେନ୍‌ଗୁଡ଼ିକର ମାଲିକ ହୋଇ ଆହୁରି ଅଧିକ ଚାହିଁଥାଏ। ବିଶେଷକରି ସୋସିଆଲ ମିଡିଆ ଓ ଏଆଇ ଯୁଗରେ ଅତ୍ୟଧିକ ଧନର ମାନେ ହେଉଛି ଲୋକଙ୍କ ବିଚାର ଉପରେ ଅନ୍ୟର ଶକ୍ତିଶାଳୀ ସ୍ବର ଓ ବ୍ୟାପକ ପ୍ରଭାବକୁ ସୂଚିତ କରିବା। ଏକ ପରମ୍ପରାଗତ ସମାଜରେ ଯେତେବେଳେ ଜଣେ ସାମନ୍ତବାଦୀ ମାଲିକ ଏକ ଗ୍ରାମସଭାକୁ ପ୍ରବେଶ କରେ, ସେତେବେଳେ ସଭାରେ ଯୁକ୍ତି କରୁଥିବା ଏବଂ ପରିବର୍ତ୍ତନ ପାଇଁ ପ୍ରାର୍ଥନା କରୁଥିବା ସାଧାରଣ ଲୋକମାନେ ତାଙ୍କ ଆସିବାର କିଛି ସମୟ ପୂର୍ବରୁ ଶାନ୍ତ ହୋଇଯାଆନ୍ତି। ଏହିଭଳି ଗତିଶୀଳତା ଏବେ ବୈଶ୍ୱିକ ସ୍ତରରେ ପ୍ରକାଶ ପାଉଛି। ଏବେ କେତୋଟି ହାତଗଣତି ଲୋକଙ୍କ ପାଖରେ ଧନ ରହିଛି ଏବଂ ଅଧିକ ଅନ୍‌ଲାଇନ ପ୍ଲାଟଫର୍ମ ଅଛି, ଯାହାକୁ ଅନେକ କୋଟି ଲୋକ ବ୍ୟବହାର କରୁଛନ୍ତି ଏବଂ ଦେଖୁଛନ୍ତି। ଫଳରେ ଏମାନଙ୍କ ଦ୍ୱାରା ଅନେକେ ସେମାନଙ୍କ ସ୍ବର ଅବଦମିତ ହେଉଥିବା ଜାଣିପାରୁଛନ୍ତି। ମନେରଖିବାକୁ ହେବ ଯେ, ବ୍ୟକ୍ତିର ସ୍ବାଧୀନ ସ୍ବର ବା ମତ ଏକ ଗଣତାନ୍ତ୍ରିକ ଦେଶର ସବୁଠୁ ଗୁରୁତ୍ୱପୂର୍ଣ୍ଣ ସାଧନ।

ଏହା ସ୍ପଷ୍ଟ ଯେ, ଏବେ ଜାତୀୟ ବିକାଶ ପାଇଁ ନୂଆ ପଦକ୍ଷେପ ନିଆଯିବାର ସମୟ ଉପନୀତ, ଯାହା ଗଣତନ୍ତ୍ର ପ୍ରତି ବିପଦ ସୃଷ୍ଟି କରୁଥିବା ଶକ୍ତିଗୁଡ଼ିକୁ ଯେମିତି ଶକ୍ତିଶାଳୀ ନ କରିବ। ଆମେରିକାର ସୁପ୍ରିମକୋର୍ଟ ବିଚାରପତି ଲୁଇସ ବ୍ରାଣ୍ଡିସ ସତର୍କ କରିଦେଇଥିଲେ, ”ଆମର ଏହି ଦେଶରେ ଗଣତନ୍ତ୍ର ଥାଇପାରେ କିମ୍ବା କିଛି ଲୋକଙ୍କ ପାଖରେ ଅତ୍ୟଧିକ ଧନ ଠୁଳ ହୋଇଥାଇ ପାରେ, କିନ୍ତୁ ଆମ ପାଖରେ ଉଭୟ ନ ରହିପାରେ।“ ଶେଷରେ, ଜିଡିପିକୁ ବୃଦ୍ଧି କରାଯାଇପାରେ, ଯାହା ଆଗାମୀ ପିଢ଼ିର କ୍ଷତି କରିବ। ଆମେ କାର୍ଯ୍ୟକ୍ରମ ମଧ୍ୟମରେ ଜିଡିପି ଅଭିବୃଦ୍ଧି ବଢ଼ାଇପାରିବା, ଯାହା ପରିବେଶକୁ କ୍ଷତି କରିବା ସହ ଜଳବାୟୁ ପରିବର୍ତ୍ତନକୁ ମଧ୍ୟ ତୀବ୍ର କରିବ। ଏହା ଆମ ଆଗାମୀ ପିଢି ପାଇଁ ଏକ କ୍ଷତିଗ୍ରସ୍ତ ପୃଥିବୀ ଛାଡ଼ିଯିବ। ଏହି ଦୃଷ୍ଟିରୁ କେବଳ ଜଳବାୟୁ ପରିବର୍ତ୍ତନ ରୋକିବା ପାଇଁ ପଦକ୍ଷେପର ଆବଶ୍ୟକତାକୁ ଗ୍ରହଣ କରିବା ଯଥେଷ୍ଟ ହେବ ନାହିଁ। ଏକ ସୁସ୍ଥ ତଥା ପରିବେଶ ଉପଯୋଗୀ ଭବିଷ୍ୟତ ପାଇଁ ଆମେ ଆମ ଅର୍ଥନୀତିର ମଙ୍ଗଳକାରୀ ତଥା ସବୁଠୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପରେ ସୁଧାର ଆଣିବାକୁ ପଡ଼ିବ, ଯେଉଁଥିରେ ସ୍ଥାୟୀ ସମୃଦ୍ଧି ଆସିପାରିବ।

କୌଶିକ ବସୁ
-ପୂର୍ବତନ ମୁଖ୍ୟ ଅର୍ଥନୀତିଜ୍ଞ, ବିଶ୍ୱବ୍ୟାଙ୍କ