ନୂଆଦିଲ୍ଲୀ,୧୬।୩: ଇତିମଧ୍ୟରେ ଭାରତ-ଇଂଲଣ୍ଡ ମଧ୍ୟରେ ଜାରି ରହିଥିବା ଟି୨୦ ସିରିଜର ପ୍ରଥମ ୨ ମୁକାବିଲା ଶେଷ ହୋଇଛି। ଏହି ମ୍ୟାଚ୍ ଦେଖିବାକୁ ଅହମ୍ମଦାବାଦ ସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ବହୁଳ ମାତ୍ରାରେ ଦର୍ଶକ ପହଞ୍ଚିଥିଲେ। କରୋନା ସଂକ୍ରମଣ ମଧ୍ୟରେ ପ୍ରଥମ ଥର ପାଇଁ କୌଣସି ଭାରତୀୟ ମଇଦାନରେ ଏତେ ସଂଖ୍ୟକ ଦର୍ଶକ ପହଞ୍ଚି ମ୍ୟାଚ୍ ଉପଭୋଗ କରିଥିଲେ। ହେଲେ ଏହି ଖୁସି ଉପରେ ପୁଣିଥରେ କରୋନା ରୋକ ଲଗାଇଛି। ବାକି ଥିବା ୩ ଅନ୍ତଃରାଷ୍ଟ୍ରୀୟ ଟି୨୦ ମ୍ୟାଚ୍ ବିନା ଦର୍ଶକରେ ହେବ ବୋଲି ନିଷ୍ପତ୍ତି ନିଆଯାଇଛି।
ପ୍ରକାଶ ଯେ, ଇଂଲଣ୍ଡ ବିପକ୍ଷ ଏହି ସିରିଜ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଛି। ପୂର୍ବରୁ ଏଠାରେ ଟେଷ୍ଟ ସିରିଜର ଶେଷ ୨ ମୁକାବିଲା ଖେଳାଯାଇଥିଲା। ଏବେ ଗୁଜରାଟ କ୍ରିକେଟ ସଂଘ(ଜିସିଏ) ପକ୍ଷରୁ ଟି୨୦ ସିରିଜର ବାକି ମ୍ୟାଚ୍ଗୁଡ଼ିକ ଦର୍ଶକଙ୍କ ବିନା ଖେଳାଯିବ ବୋଲି କୁହାଯାଇଛି। ଜିସିଏ ଉପାଧ୍ୟକ୍ଷ ଧନରାଜ ନଥଓ୍ବାନୀ କହିଛନ୍ତି, ୧୬,୧୮ ଏବଂ ୨୦ ମାର୍ଚ୍ଚରେ ହେବାକୁ ଥିବା ମ୍ୟାଚ୍ ପାଇଁ ଟିକେଟ କିଣିଥିବା ଦର୍ଶକଙ୍କୁ ଟଙ୍କା ଫେରସ୍ତ କରିଦିଆଯିବ। ଅହମ୍ମଦାବାଦରେ କରୋନା ସଂକ୍ରମଣ ବଢ଼ୁଥିବାରୁ ଏହି ନିଷ୍ପତ୍ତି ନିଆଯାଇଥିବା ସେ କହିଛନ୍ତି। ତେବେ ଏହି ଖବର କ୍ରିକେଟ ପ୍ରଶଂସକଙ୍କୁ ନିରାଶ କରିଛି।