ମିଳୁନି ଦରମା , ଜିଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କଲେ ଇସି ସଦସ୍ୟା

ବଲାଙ୍ଗୀର,୨୩।୯(ସୁନିଲ ମହାନ୍ତି): ବଲାଙ୍ଗୀର ଜିଲା ମୁରିବାହାଲ ବ୍ଲକର ମିଶନ ଶକ୍ତି ଅନ୍ତର୍ଗତ ବିଭିନ୍ନ ଗ୍ରାମ ପଞ୍ଚାୟତସ୍ତରୀୟ ମହାସଂଘର କାର୍ଯ୍ୟନିର୍ବାହୀ କମିଟି (ଇସି) ସଦସ୍ୟାଙ୍କୁ କମିଟି ବୈଠକକୁ ଡକାଯାଉନଥିବା ଏବଂ ମାସିକ ଦରମା ଦିଆଯାଉନଥିବା ନେଇ ସୋମବାର ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସି ସଦସ୍ୟାମାନେ ଅଭିଯୋଗ କରିଛନ୍ତି। ମୁରିବାହାଲ ବ୍ଲକର ବିଭିନ୍ନ ଗ୍ରାମପଞ୍ଚାୟତ ସ୍ତରୀୟ ଇସି ସଦସ୍ୟାମାନେ ଅଭିଯୋଗ କରିଛନ୍ତି ଯେ, ଗତ ପ୍ରାୟ ୬ ମାସ ହେବ ସେମାନଙ୍କୁ କୌଣସି ବୈଠକକୁ ଡକାଯାଉନାହିଁ । ଫଳରେ ସେମାନେ କୌଣସି ତଥ୍ୟ ପାଇପାରୁନାହାନ୍ତି। ମାଷ୍ଟର ବୁକ କିପର (ଏମ୍‌ବିକେ ) ଏବଂ ବିପିଏମ ଏନେଇ ଚକ୍ରାନ୍ତ କରି ଇସି ସଦସ୍ୟାଙ୍କୁ ବୈଠକରୁ ଦୂରେଇ ରଖୁଥିବା ଅଭିଯୋଗ କରିଛନ୍ତି। ଏନେଇ ଏମ୍‌ବିକେ ଓ ବିପିଏମଙ୍କୁ ପଚାରିଲେ ସରକାର ମହାସଂଘ ଭାଙ୍ଗି ଦେଲେଣି ଏଣୁ ସେମାନଙ୍କୁ କୌଣସି ବୈଠକକୁ ଡକାଯାଉନାହିଁ ବୋଲି କହୁଥିବା ଅଭିଯୋଗ କରିଥିଲେ। ଇସି ସଦସ୍ୟାଙ୍କୁ ମାସିକ ଦରମା ମଧ୍ୟ ଠିକ ଭାବେ ଦେଉନଥିବା, ମାସିକ ୫ ଶହ ଟଙ୍କା ଦୀର୍ଘ ମାସ ହେଲା ବକେୟା ରଖାଯାଇଥିବା ଉପରେ ଅଭିଯୋଗ କରିଥିଲେ। ଅତିରିକ୍ତ ଜିଲାପାଳ ପବିତ୍ର ବେହେରାଙ୍କୁ ଦାବିପତ୍ର ଦେଇ (ଇସି) ସଦସ୍ୟାମାନେ ସମସ୍ତ ବିଷୟରେ ଉପରେ ଆଲୋଚନା କରିଥିଲେ।