କୋହଲିଙ୍କୁ ଚେତାବନୀ ଦେଲେ ଗମ୍ଭୀର

ନୂଆଦିଲ୍ଲୀ,୩।୧୧: ଟି -୨୦ ବିଶ୍ୱକପରେ ଆଜି ବିରାଟ କୋହଲି ବାହିନୀ ଆଫଗାନିସ୍ତାନକୁ ଭେଟିବ। ପ୍ରଥମ ଦୁଇଟି ମ୍ୟାଚ ହାରିଯିବା ପରେ ସେମିଫାଇନାଲ ଦୌଡ଼ରେ ଭାରତ ପଛରେ ରହିଛି। ତେଣୁ ସେମିଫାଇନାଲ ଆଶାକୁ ବଞ୍ଚାଇ ରଖିବା ପାଇଁ ଟିମ ଇଣ୍ଡିଆକୁ ଯେକୌଣସି ଭାବରେ ଏହି ମ୍ୟାଚ ଜିତିବାକୁ ପଡିବ। କିନ୍ତୁ ଆଫଗାନିସ୍ତାନର ଚ୍ୟାଲେଞ୍ଜ ନେବା ଟିମ ଇଣ୍ଡିଆ ପାଇଁ ସହଜ ହେବ ନାହିଁ। ଆଫଗାନିସ୍ତାନର ବ୍ୟାଟିଂ ବିରୋଧୀ ଦଳରେ ଭୟଭୀତ ହୋଇନପାରେ। କିନ୍ତୁ ରସିଦ ଖାନ, ମୁଜିବ ଉର ରହମାନ ଏବଂ ମହମ୍ମଦ ନବୀଙ୍କ ସ୍ପିନ ବୋଲିଂ କୌଣସି ଦଳର ବ୍ୟାଟ୍ସମ୍ୟାନ ନିଦ ହଜାଇବା ପାଇଁ ଯଥେଷ୍ଟ। ପୂର୍ବତନ ଭାରତୀୟ ଓପନର୍‌ ଗୌତମ ଗମ୍ଭୀର ଟିମ ଇଣ୍ଡିଆକୁ ଚେତାବନୀ ଦେଇଛନ୍ତି।
ଭାରତ-ଆଫଗାନିସ୍ତାନ ମ୍ୟାଚ ପୂର୍ବରୁ ଏକ ସାକ୍ଷାତକାରରେ କୋହଲିଙ୍କୁ ଚେତାବନୀ ଦେଇ ଗମ୍ଭୀର କହିଛନ୍ତି, ଆଫଗାନିସ୍ତାନ ଦଳକୁ ହାଲୁକା ଭାବେ ଗ୍ରହଣ କରାଯାଇପାରିବ ନାହିଁ। ସେମାନଙ୍କ ବୋଲିଂ ବାଂଲାଦେଶ ଏବଂ ଶ୍ରୀଲଙ୍କାଠାରୁ ମଧ୍ୟ ଭଲ। ତେଣୁ କୋହଲିଙ୍କୁ ସତର୍କ ରହିବାକୁ ପଡିବ।
ଗ୍ରୁପ-୨ରୁ ସେମିଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିବାର ଭାରତର ଆଶା କ୍ଷୀଣ ରହିଛି। ପ୍ରଥମ ଦୁଇଟି ମ୍ୟାଚରେ ପାକିସ୍ତାନ ଏବଂ ନ୍ୟୁଜିଲାଣ୍ଡଠାରୁ ହାରିବା ପରେ ଟିମ ଇଣ୍ଡିଆକୁ ଆଫଗାନିସ୍ତାନ, ସ୍କଟଲ୍ୟାଣ୍ଡ ଏବଂ ନାମ୍ବିଆ ବିପକ୍ଷରେ ପରବର୍ତ୍ତୀ ତିନୋଟି ମ୍ୟାଚ କେବଳ ଜିତିବାକୁ ପଡିବ ତା’ନୁହେଁ ବଡ ମାର୍ଜିନରେ ମଧ୍ୟ ଜିତିବାକୁ ପଡ଼ିବ।

Share