Chhaava: ଦୁବାଇରେ ଏହି ଫିଲ୍ମକୁ ଦେଖିବା ପରେ କାହିଁକି ଟ୍ରୋଲ ହେଉଛନ୍ତି ଗୌତମ ଗମ୍ଭୀର?

ନୂଆଦିଲ୍ଲୀ,୧୯।୨: ଚାମ୍ପିଅନ୍ସ ଟ୍ରଫି ୨୦୨୫ ଆଜିଠାରୁ ଅର୍ଥାତ ୧୯ ଫେବୃଆରୀରୁ ଆରମ୍ଭ ହେଉଛି। ଟୁର୍ନାମେଣ୍ଟରେ ଭାରତୀୟ ଦଳ ଫେବୃଆରୀ ୨୦ରେ ଦୁବାଇରେ ବାଂଲାଦେଶ ବିପକ୍ଷରେ ମ୍ୟାଚ୍‌ ଖେଳିବ। ଏହାଛଡ଼ା ଦଳ ୨୩ ଫେବୃଆରୀରେ ଏହାର ସବୁଠାରୁ ବଡ଼ ପ୍ରତିଦ୍ୱନ୍ଦ୍ୱୀ ଦଳ ପାକିସ୍ତାନ ସହିତ ମୁକାବିଲା କରିବ। ଏଥିପାଇଁ ଟିମ ଇଣ୍ଡିଆ ୪ ଦିନ ପୂର୍ବରୁ ଦୁବାଇରେ ପହଞ୍ଚି ସାରିଛି। ସେବେଠାରୁ ଖେଳାଳିମାନେ ନେଟ୍ସରେ ଅଭ୍ୟାସକୁ ଜୋରଦାର କରୁଛନ୍ତି। କିନ୍ତୁ ଏହି ପ୍ରସ୍ତୁତି ମଧ୍ୟରେ ଦଳର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଜୋରଦାର ଟ୍ରୋଲ ହେଉଛନ୍ତି। କାରଣ ସେ ଦୁବାଇରେ ବଲିଉଡ ଅଭିନେତା ବିକି କୌଶଳଙ୍କ ଫିଲ୍ମ ‘ଛାଭା’ ଦେଖିବାକୁ ଯାଇଥିଲେ। ଏହା ପରେ ସେ ଏକ ସୋସିଆଲ ମିଡିଆ ପୋଷ୍ଟ କରିଥିଲେ, ଯାହାକୁ ନେଇ ପ୍ରଶଂସକ ତାଙ୍କୁୁ ଟ୍ରୋଲ କରୁଛନ୍ତି।

ରିଲିଜ ହେବା ଦିନଠାରୁ ‘ଛାଭା’ ଦର୍ଶକେ ବେଶ ପସନ୍ଦ କରୁଛନ୍ତି। ସେଥିପାଇଁ ଟିମ୍‌ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଏହାକୁ ଦୁବାଇରେ ଦେଖିବା ପାଇଁ ନିଷ୍ପତ୍ତି ନେଇଥିଲେ। ପରେ ସେ ତାଙ୍କ ସୋସିଆଲ ମିଡିଆରେ ଲେଖିଥିଲେ, ‘ଛତ୍ରପତି ସମ୍ଭାଜୀ ମହାରାଜ, ମାତୃଭୂମି ପ୍ରତି ସମର୍ପଣ!’ ଗମ୍ଭୀର ଏହା ପୋଷ୍ଟ କରିବା ମାତ୍ରେ ଟ୍ରୋଲ ହୋଇଥିଲେ। ଜଣେ ପ୍ରଶଂସକ ତାଙ୍କୁ ଚାମ୍ପିଅନ୍ସ ଟ୍ରଫି ଉପରେ ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ। ଆଉ ଜଣେ କହିଥିଲେ ଯେ ’ଭାଇ, ଆମକୁ ଚାମ୍ପିଅନ୍ସ ଟ୍ରଫିରେ ହରାଇବ ନାହିଁ।’ ସେହିଭଳି ଆଉ ଜଣେ ବ୍ୟବହାରକାରୀ ଲେଖିଛନ୍ତି, ‘କୋଚିଂ ଦିଅ ଭାଇ, ତୁମେ କ’ଣ ସିନେମା ଦେଖୁଛ’।


 

କହିବାକୁ ଗଲେ ଏହି ଗୁରୁତ୍ୱପୂର୍ଣ୍ଣ ICC ଟୁର୍ନାମେଣ୍ଟ ପୂର୍ବରୁ ଗମ୍ଭୀର ତାଙ୍କ କାମରେ ଠିକ୍‌ ଭାବରେ ଧ୍ୟାନ ଦେଉ ନ ଥିବା ଭାରତୀୟ ପ୍ରଶଂସକମାନେ ଅନୁଭବ କରିଛନ୍ତି। ଏହି ବଡ଼ ICC ଟୁର୍ନାମେଣ୍ଟରେ ନିଜର ସମୟ ଏବଂ ଶକ୍ତି ଲଗାଇବା ପରିବର୍ତ୍ତେ, ସେ ଅନ୍ୟ କୌଣସି ସ୍ଥାନରେ ନିଜର ଧ୍ୟାନ ଦେଉଛନ୍ତି। ଏହାର ପ୍ରଭାବ ଟୁର୍ନାମେଣ୍ଟ ଉପରେ ପଡ଼ିପାରେ। ତେଣୁ ପ୍ରଶଂସକମାନେ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଥିଲେ। ତଥାପି ଏହି ଫିଲ୍ମକୁ ସମର୍ଥନ କରିବା ପାଇଁ ଅନେକ ପ୍ରଶଂସକ ତାଙ୍କୁ ପ୍ରଶଂସା ମଧ୍ୟ କରିଛନ୍ତି।

କହିରଖୁଛୁ, ଦୁବାଇରେ ପହଞ୍ଚିବା ମାତ୍ରେ ଗମ୍ଭୀର ଅଧିନାୟକ ରୋହିତ ଶର୍ମାଙ୍କ ସହ ଯୋଜନା କରୁଥିବାର ଦେଖାଯାଇଥିଲା। ସେ କୋଚିଂ ଷ୍ଟାଫ୍‌ ଏବଂ ଦଳର ସମସ୍ତ ଖେଳାଳିଙ୍କୁ ଏକାଠି ଡାକି ସେମାନଙ୍କ ସହ କଥାବାର୍ତ୍ତା କରୁଥିବାର ମଧ୍ୟ ଦେଖାଯାଇଥିଲା। ଏହା ବ୍ୟତୀତ, ସେ ତାଙ୍କର ନେଟ୍‌ ସେଶନ ସମୟରେ ବିରାଟ କୋହଲିଙ୍କ ପଛରେ ଠିଆ ହୋଇ ତାଙ୍କ କୌଶଳ ଉପରେ ଧ୍ୟାନ ଦେଉଥିବାର ମଧ୍ୟ ଦେଖିବାକୁ ମିଳିଥିଲା।