ରାହୁଲଙ୍କୁ ବରବାଦ୍‌ କରିସାରିଲେଣି ଗୌତମ ଗମ୍ଭୀର: ସାଂଘାତିକ ଅଭିଯୋଗ ଆଣିଲେ ପୂର୍ବତନ କ୍ରିକେଟର୍‌

ନୂଆଦିଲ୍ଲୀ,୧୦।୨: ରାହୁଲଙ୍କୁ ବରବାଦ୍‌ କରିସାରିଲେଣି ଗୌତମ ଗମ୍ଭୀର। ଏଭଳି ଅଭିଯୋଗ ଆଣିଛନ୍ତି ପୂର୍ବତନ କ୍ରିକେଟର୍‌ କେ ଶ୍ରୀକାନ୍ତ। ଗମ୍ଭୀରଙ୍କ ରଣନୀତି ପାଇଁ ରାହୁଲ ଫ୍ଲପ୍‌ ହେଉଛନ୍ତି ଏବଂ ସେ ତାଙ୍କ କ୍ୟାରିୟର ନଷ୍ଟ କରିଦେବାରେ ଲାଗିପଡିଛନ୍ତି ବୋଲି ଶ୍ରୀକାନ୍ତ କହିଚନ୍ତି। ଇଂଲଣ୍ଡ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟି ଦିନିକିଆ ସିରିଜ୍‌ର ପ୍ରଥମ ୨ଟି ମ୍ୟାଚ୍‌ରେ ରାହୁଲ ଫ୍ଲପ୍‌ ହୋଇଛନ୍ତି। ଏହାକୁ ନେଇ ରାହୁଲଙ୍କ ଫର୍ମକୁ ନେଇ ପ୍ରଶ୍ନ ଉଠିଛି।

ରାହୁଲଙ୍କ ପ୍ରଥମ ୨ଟି ମ୍ୟାଚ୍‌ରେ ଷଷ୍ଠ ସ୍ଥାନରେ ବ୍ୟାଟିଂ କରିବାର ସୁଯୋଗ ମିଳିଥିଲା। ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଶ୍ରୀକାନ୍ତ। ସେ କହିଛନ୍ତି, ରାହୁଲଙ୍କ ପାଇଁ ମୋତେ ବ୍ୟକ୍ତିଗତ ଭାବେ ଖରାପ ଲାଗୁଛି। ଅକ୍ଷର ପଟେଲ ଭଲ ଖେଳୁଛନ୍ତି କିନ୍ତୁ ଗମ୍ଭୀର ରାହୁଲଙ୍କ ସହ ଯାହା କରୁଛନ୍ତି ତାହା ଠିକ୍‌ ନୁହେଁ। ରାହୁଲ ପଞ୍ଚମ ସ୍ଥାନରେ ବ୍ୟାଟିଂ କରିବା ସବୁଠୁ ଉପଯୁକ୍ତ। ଏହି ସ୍ଥାନରେ ବ୍ୟାଟିଂ କରି ସେ ଅନେକ ରନ୍‌ ମଧ୍ୟ ସ୍କୋର କରିଛନ୍ତି। କିନ୍ତୁ ମୁଁ ବୁଝିପାରୁ ନାହିଁ ଟିମ୍‌ ମ୍ୟାନେଜ୍‌ମେଣ୍ଟ ତାଙ୍କ ଏଭଳି କାହିଁକି କରୁଛି। ତାଙ୍କ ପଞ୍ଚମ ସ୍ଥାନ ବଦଳରେ ଷଷ୍ଠ ସ୍ଥାନରେ କାହିଁକି ପଠାଯାଉଛି ବୋଲି ସେ ପ୍ରଶ୍ନ କରିଛନ୍ତି।
ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ରାହୁଲଙ୍କ ଭଳି ଖେଳାଳି ଫର୍ମକୁ ଫେରିବା ଜରୁରୀ। ଟପ୍‌-୪ରେ ଲେଫ୍ଟ-ରାଇଟ୍‌ କମ୍ପିନେସନ୍‌ ଆବଶ୍ୟକ। କିନ୍ତୁ ରାହୁଲଙ୍କ ସହ ପରୀକ୍ଷାନିରୀକ୍ଷା କରିବା ଠିକ୍‌ ନୁହେଁ। ଯଦି ଏମିତି କରିବାର ଅଛି, ତେବେ ରାହୁଲଙ୍କୁ ଟିମ୍‌ରୁ ବାହାର କରି ରିଷଭ ପନ୍ତଙ୍କୁ ସୁଯୋଗ ଦେବା ଉଚିତ୍‌ ବୋଲି ଶ୍ରୀକାନ୍ତ କହିଛନ୍ତି।