Categories: Home Leftଖେଳ

ଗମ୍ଭୀରଙ୍କ ଅଦ୍ଭୁତ ଷ୍ଟ୍ରାଟେଜି: ଶେଷ ଓଭରରେ କଲେ ଏମିତି ମିଳିଲା ତୁରନ୍ତ ସଫଳତା

ଧର୍ମଶାଳା,୧୫।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ତୃତୀୟ ଟି-୨୦ ମ୍ୟାଚରେ ଭାରତୀୟ ଦଳର ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କ ଏକ ଅଦ୍ଭୁତ ରଣନୀତି ଚର୍ଚ୍ଚାର ବିଷୟ ପାଲଟିଛି। ଏହି ରଣନୀତି ଯୋଗୁଁ ଟିମ୍ ଇଣ୍ଡିଆକୁ ବଡ଼ ଲାଭ ମିଳିଥିଲା।

ଦକ୍ଷିଣ ଆଫ୍ରିକା ବ୍ୟାଟରମାନେ ଶେଷ ଓଭରରେ ଅଧିକ ରନ୍ ସଂଗ୍ରହ କରିବାକୁ ଚେଷ୍ଟା କରୁଥିବାବେଳେ ସାଧାରଣତଃ ହାର୍ଦ୍ଦିକ ପାଣ୍ଡ୍ୟା ବୋଲିଂ କରିବାକୁ ପ୍ରସ୍ତୁତ ହେଉଥିଲେ। ମାତ୍ର, ଗମ୍ଭୀର ହଠାତ୍ ସଞ୍ଜୁ ସାମସନଙ୍କ ମାଧ୍ୟମରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ପାଖକୁ ଏକ ବାର୍ତ୍ତା ପଠାଇଥିଲେ। ଅଧିନାୟକ ସୂର୍ଯ୍ୟକୁମାର ୨୦ ତମ ଓଭର ପାଇଁ କୁଲଦୀପ ଯାଦବଙ୍କୁ ବଲ୍ ଦେଇଥିଲେ। ଏହି ନିଷ୍ପତ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ ମଧ୍ୟ ଫଳାଫଳ ତୁରନ୍ତ ମିଳିଥିଲା।

କୁଲଦୀପ ଯାଦବ ଶେଷ ଓଭରରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ୱିକେଟ୍ ନେଇ ଦକ୍ଷିଣ ଆଫ୍ରିକାକୁ ମାତ୍ର ୧୧୭ ରନରେ ଅଲଆଉଟ୍ କରିଦେଇଥିଲେ। ଏହି ବିଜୟ ସହ ଭାରତ ୫ ମ୍ୟାଚ୍ ବିଶିଷ୍ଟ ସିରିଜରେ ୨-୧ରେ ଅଗ୍ରଣୀ ହାସଲ କରିଛି।

ମ୍ୟାଚ୍ ପରେ ଭାରତର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ବ୍ୟକ୍ତିଗତ ପ୍ରଦର୍ଶନକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି। ଚଳିତ ସିରିଜରେ ତାଙ୍କ ବ୍ୟାଟରୁ ଅଧିକ ରନ୍ ବାହାରୁନଥିବା ସେ ସ୍ୱୀକାର କରିଛନ୍ତି।

ସୂର୍ଯ୍ୟକୁମାର କହିଛନ୍ତି, “ମୁଁ ନେଟ୍ସରେ ବହୁତ ଭଲ ବ୍ୟାଟିଂ କରୁଛି। ଯେତେବେଳେ ମ୍ୟାଚ୍ ଆସିବ, ଯେତେବେଳେ ରନ୍ ଆସିବା କଥା, ତାହା ନିଶ୍ଚିତ ଆସିବ। ହଁ, ମୁଁ ରନ୍ ଖୋଜୁଛି, ଫର୍ମରୁ ନୁହେଁ, କିନ୍ତୁ ନିଶ୍ଚିତ ଭାବରେ ରନ୍‌ରୁ ବାହାରେ ଅଛି।”

ସେ ଆହୁରି ମଧ୍ୟ କହିଛନ୍ତି ଯେ ଦ୍ୱିତୀୟ ଟି-୨୦ରେ ପରାଜୟ ପରେ ଦଳ ମୌଳିକ କଥା ଉପରେ ଧ୍ୟାନ ଦେଇଥିଲା ଏବଂ ବୋଲରମାନଙ୍କ ଅନୁଶାସିତ ପ୍ରଦର୍ଶନ ଯୋଗୁଁ ଧର୍ମଶାଳାରେ ଆରାମଦାୟକ ବିଜୟ ମିଳିପାରିଛି। ଆସନ୍ତା ବୁଧବାର ଲକ୍ଷ୍ନୌରେ ଜିତିଲେ ଭାରତ ସିରିଜ୍ କବ୍‌ଜା କରିବ।