Categories: Home Leftଖେଳ

ଅଗରକରଙ୍କୁ ହାତ କରି ରୋହିତଙ୍କୁ ଅଧିନାୟକରୁ ହଟାଇଥିଲେ ଗମ୍ଭୀର! ବଡ଼ ବୟାନ ଦେଲେ ପୂର୍ବତନ ସାଥି ଖେଳାଳି

ମୁମ୍ବାଇ,୧୬।୨: ରୋହିତ ଶର୍ମାଙ୍କୁ ଦିନିକିଆ ଦଳର ଅଧିନାୟକ ପଦରୁ ହଟାଯିବା ପରେ ଏବେ ବିବାଦ ତେଜିବାରେ ଲାଗିଛି। ବିସିସିଆଇ’ର ଏହି ନିଷ୍ପତ୍ତିକୁ ନେଇ ପୂର୍ବତନ କ୍ରିକେଟର ମନୋଜ ତିୱାରୀ ଏକ ଚାଞ୍ଚଲ୍ୟକର ଦାବି କରିଛନ୍ତି। ଚୟନ କମିଟି ମୁଖ୍ୟ ଅଜିତ ଅଗରକର ଏହି ନିଷ୍ପତ୍ତି ଶୁଣାଇଥିଲେ ମଧ୍ୟ ଏହା ପଛରେ ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କ ପ୍ରଭାବ ଥାଇପାରେ ବୋଲି ସେ କହିଛନ୍ତି।

ମନୋଜ ତିୱାରୀ ଏକ ସାକ୍ଷାତକାରରେ କହିଛନ୍ତି ଯେ, “ଅଜିତ ଅଗରକର ଜଣେ ଦୃଢ଼ ବ୍ୟକ୍ତିତ୍ୱର ଅଧିକାରୀ। କିନ୍ତୁ କେହି ଜଣେ ତାଙ୍କ କାନ୍ଧରେ ବନ୍ଧୁକ ରଖି ଗୁଳି ଚଳାଇଥାଇ ପାରନ୍ତି। ଏତେ ବଡ଼ ନିଷ୍ପତ୍ତି କେବଳ ଚୟନକର୍ତ୍ତା ଏକାକୀ ନେଇପାରିବେ ନାହିଁ। ଏଥିରେ କୋଚ୍‌ଙ୍କ ମତାମତ ନିଶ୍ଚିତ ଭାବେ ରହିଥିବ। ଉଭୟ ଏଥିପାଇଁ ସମାନ ଭାବେ ଦାୟୀ।”

ଚୟନ କମିଟି ୨୦୨୭ ଦିନିକିଆ ବିଶ୍ୱକପ୍‌ ପାଇଁ ଶୁଭମନ ଗିଲ୍‌ଙ୍କୁ ନୂତନ ଅଧିନାୟକ ଭାବେ ନିଯୁକ୍ତ କରି ଏକ ନୂତନ ଆରମ୍ଭ କରିବାକୁ ଚାହୁଁଛି। ରୋହିତଙ୍କୁ ଏବେ ୩୮ ବର୍ଷ ହୋଇଥିବାରୁ ସେ ଆଗାମୀ ବିଶ୍ୱକପ୍ ଖେଳିବେ କି ନାହିଁ, ସେ ନେଇ ଆଶଙ୍କା ପ୍ରକାଶ କରିଥିଲା ବିସିସିଆଇ।

ମନୋଜ ତିୱାରୀ ଏହି ନିଷ୍ପତ୍ତିକୁ ଅପମାନଜନକ ଏବଂ କ୍ରିକେଟ୍ ଯୁକ୍ତିର ବାହାରେ ବୋଲି ଦର୍ଶାଇଛନ୍ତି। ସେ କହିଛନ୍ତି, “ଯିଏ ଟି-୨୦ ବିଶ୍ୱକପ୍ ଏବଂ ଚାମ୍ପିଅନ୍ସ ଟ୍ରଫି ଜିତାଇଛନ୍ତି, ତାଙ୍କୁ ଏପରି ଭାବେ ହଟାଇବା ଅନାବଶ୍ୟକ ଥିଲା। ରୋହିତ ନିଜର ଫିଟନେସ୍ ଏବଂ ପ୍ରଦର୍ଶନ ଜରିଆରେ ପ୍ରମାଣ କରିଛନ୍ତି ଯେ ସେ ଆହୁରି ଖେଳିବାକୁ ସକ୍ଷମ। ତିନୋଟି ଦ୍ୱିଶତକ ହାସଲ କରିଥିବା ଜଣେ ନିସ୍ୱାର୍ଥପର ଖେଳାଳିଙ୍କ ଦକ୍ଷତା ଉପରେ ସନ୍ଦେହ କରିବା ଏକ ବଡ଼ ଭୁଲ।”

Share