ମୁମ୍ବାଇ: ପୁଣି ଚର୍ଚ୍ଚାରେ ଲୋକପ୍ରିୟ ରିଆଲିଟି ଶୋ’ ବିଗ୍ବସ୍ ବିଜେତା ତଥା ଅଭିନେତା ଗୌରବ ଖନ୍ନା। ଶୋ’ରେ ପତ୍ନୀଙ୍କ ପ୍ରତି ଥିବା ଭଲପାଇବାକୁ ନେଇ ସେ ଖବର ଶିରୋନାମାରେ ରହୁଥିଲେ। କାରଣ ବିବାହର ଦଶନ୍ଧି ହେବାକୁ ଯାଉଥିଲେ ହେଁ ସନ୍ତାନ ନ ଥିବା ପ୍ରଶ୍ନର ଉତ୍ତରରେ ସେ ସମସ୍ତଙ୍କ ମନ ଜିଣିଥିଲେ। ପତ୍ନୀ ଆକାଂକ୍ଷା ସନ୍ତାନ ଚାହୁଁ ନ ଥିବାରୁ ସେ ତାହାକୁ ସମ୍ମାନ ଜଣାଉଥିବା କହିଥିଲେ। ହେଲେ ଏବେ ଦୁହିଁଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିବା ଚର୍ଚ୍ଚା ଜୋର ଧରିଛି। ଏହା ପଛରେ ରହିଛି ଆକାଂକ୍ଷାଙ୍କ ପୋଷ୍ଟ।
ଆକାଂକ୍ଷା ସୋସିଆଲ ମିଡିଆରେ ସମ୍ପର୍କକୁ ନେଇ ଏକ କ୍ରିପ୍ଟିକ୍ ପୋଷ୍ଟ ଶେୟାର କରିଛନ୍ତି, ଯାହାକି ପ୍ରଶଂସକଙ୍କୁ ଆଘାତ ଦେଇଛି। ସେ ଲେଖିଛନ୍ତି, ଯେଉଁ ସମ୍ପର୍କର ମୂଳଦୁଆ କେବଳ ଆବଶ୍ୟକତା ଉପରେ ଥାଏ, ସେଠାରେ ହୃଦୟ ବଳି ପଡ଼ିଯାଏ। ଏହି ପୋଷ୍ଟ ଭାଇରାଲ ହେବା ପରେ ଗୌରବଙ୍କ ସହ ତାଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିବା ଅନୁମାନ କରାଯାଉଛି। ସେହିଭଳି କିଛି ବ୍ୟବହାରକାରୀ ପୋଷ୍ଟଟି ତାଙ୍କର ଅପକମିଂ ପ୍ରୋଜେକ୍ଟର ପୂର୍ବ ସୂଚନା ବୋଲି କହୁଛନ୍ତି।
କହିରଖୁଛୁ, ଆକାଂକ୍ଷା ଚମୋଲା ଏବଂ ଗୌରବ ଖନ୍ନା ୨୦୧୬ରେ ବିବାହ କରିଥିଲେ। ବେଶ ଗୋପନୀୟରେ ବିବାହ ଅନୁଷ୍ଠିତ ହୋଇଥିଲା। ଏବେ ଉଭୟଙ୍କ ସମ୍ପର୍କକୁ ନେଇ କରାଯାଉଥିବା ଆକଳନ କେତେ ସତ କେତେ ମିଛ ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ ବୋଲି କୁହାଯାଉଛି।
Dharitri – Odisha’s No.1 Odia Daily