ଲକ୍ଷ୍ନୌ,୨୫ା୫: ଉତ୍ତରପ୍ରଦେଶର ଶାହଜାହାନପୁରର ସରକାରୀ ମେଡିକାଲ କଲେଜରେ ଗ୍ୟାସ୍ ଲିକ୍ ଯୋଗୁ ରୋଗୀମାନଙ୍କୁ ତୁରନ୍ତ ଓ୍ବାର୍ଡରୁ ବାହାରକୁ ନିଆଯାଇଥିଲା।
ସୂଚନା ଅନୁଯାୟୀ, ଗ୍ୟାସ ଲିକ୍ ଯୋଗୁ ଲୋକମାନେ ନିଃଶ୍ୱାସ ନେବାରେ ଅସୁବିଧା ଭୋଗ କରିଥିଲେ। ଗ୍ୟାସ୍ ଲିକ୍ ସମ୍ପର୍କରେ ସୂଚନା ପାଇବା ପରେ, ଅଗ୍ନିଶମ ବାହିନୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ଅପରେଶନ ଥିଏଟରରୁ ଗ୍ୟାସ୍ ଲିକ୍ ହେବା ପରେ ସେଠାରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା।
ଗ୍ୟାସ ଲିକ୍ ଯୋଗୁ ଯେତେବେଳେ ଭର୍ତ୍ତି ହୋଇଥିବା ରୋଗୀମାନଙ୍କୁ ନିଃଶ୍ୱାସ ନେବାରେ ଅସୁବିଧା ହେଲା, ସେମାନଙ୍କ ସମ୍ପର୍କୀୟମାନେ ରୋଗୀମାନଙ୍କୁ ବାହାରକୁ ନେଇ ଦୌଡ଼ିବାକୁ ଲାଗିଲେ। ଯାହା ଯୋଗୁ ମେଡିକାଲ କଲେଜରେ ଉତ୍ତେଜନାମୂଳକ ପରିବେଶ ସୃଷ୍ଟି ହୋଇଥିଲା। ମେଡିକାଲ କଲେଜର ପ୍ରିନ୍ସିପାଲ ଡାକ୍ତର ରାଜେଶ କୁମାର କହିଛନ୍ତି, ଟ୍ରମା ସେଣ୍ଟରରେ ଥିବା ଓଟିରୁ ପର୍ମାଲାଇନ ଗନ୍ଧ ଆସୁଥିବାରୁ ରୋଗୀମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
ସେ କହିଛନ୍ତି, ଗ୍ୟାସ୍ ଲିକ୍ ବିଷୟରେ ସୂଚନା ପାଇବା ପରେ, ରୋଗୀଙ୍କ ସହ କର୍ମଚାରୀମାନେ ରୋଗୀମାନଙ୍କୁ ନେଇ ଦୌଡ଼ିବା ଆରମ୍ଭ କରିଥିଲେ, ଯାହା ଫଳରେ ଘଟଣାସ୍ଥଳରେ ଆତଙ୍କ ଖେଳିଯାଇଥିଲା। ତଥାପି ପରିସ୍ଥିତି ସ୍ବାଭାବିକ ଅଛି ଏବଂ ସମସ୍ତ ରୋଗୀଙ୍କୁ ମେଡିକାଲ କଲେଜକୁ ଫେରାଇ ନିଆଯାଉଛି। ଏହି ଘଟଣାଟି କୋତଓ୍ବାଲି ଥାନା ଅଞ୍ଚଳରେ ଅବସ୍ଥିତ ପଣ୍ଡିତ ରାମ ପ୍ରସାଦ ବିସ୍ମିଲ ସ୍ବୟଂଶାସିତ ରାଜ୍ୟ ମେଡିକାଲ କଲେଜରେ ଘଟିଛି।
ଜିଲାପାଳ ଧର୍ମେନ୍ଦ୍ର ପ୍ରତାପ ସିଂହ ଘଟଣାର ସତ୍ୟାସତ୍ୟ ପ୍ରମାଣ କରି କହିଛନ୍ତି ଯେ, ଅପରେଶନ ଥିଏଟର (ଓଟି)ରୁ ଗ୍ୟାସ୍ ଲିକ୍ ହୋଇଥିଲା। ଘଟଣା ବିଷୟରେ ସୂଚନା ସଂଗ୍ରହ କରାଯାଉଛି। ଏହି ଘଟଣାରେ କୌଣସି ଜୀବନହାନି ହୋଇନାହିଁ ବୋଲି ସେ କହିଛନ୍ତି। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଏବଂ ଅଗ୍ନିଶମ ବାହିନୀ ଦଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି, ପରିସ୍ଥିତି ନିୟନ୍ତ୍ରଣରେ ଥିବା ସେ କହିଛନ୍ତି।