ଗ୍ୟାସ ସିଲିଣ୍ଡର ଲଗାଇବାବେଳେ ଫାଟିଲା, ଉଡିଗଲା ଘର ଛାତ

ଦିଗପହଣ୍ଡି,୫।୯(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ପଞ୍ଚାୟତ ବାଗଡା ଗ୍ରାମରେ ଗ୍ୟାସ ସିଲିଣ୍ଡର ଫାଟି ରୋଷେଇ ଘର ଛାତ ଉଡ଼ିଯାଇଛି। ଏହି ଦୁର୍ଘଟଣାରେ ପ୍ରଫୁଲ୍ଲ ପାତ୍ର ନାମକ ଜଣେ ଯୁବକ ଗୁରୁତର ଆହାତ ହୋଇ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଗୁରୁବାର ରାତି ପ୍ରାୟ ସାଢେ ୮ ଟାରେ ଗ୍ରାମର ସ୍ବର୍ଗତ ପ୍ରମୋଦ ପାଣିଗ୍ରାହୀଙ୍କ ସ୍ତ୍ରୀ ଡଲି ପାଣିଗ୍ରାହୀ ନୂଆରେ ଆଣିଥିବା ଗ୍ୟାସ ସିଲିଣ୍ଡର ଲଗାଇବା ପାଇଁ ଚେଷ୍ଟାକରି ବିଫଳ ହେବାପରେ ପଡୋଶୀ ପ୍ରଫୁଲ୍ଲଙ୍କୁ ଘରକୁ ଡାକି ରୋଷେଇ ଘରେ ଥିବା ଗ୍ୟାସ ସିଲିଣ୍ଡରକୁ ଲଗାଇ ଦେବା ପାଇଁ ଅନୁରୋଧ କରିଥିଲେ। ପ୍ରଫୁଲ୍ଲ ଗ୍ୟାସ ସିଲିଣ୍ଡର ସହ ଚୁଲା କନେକସନ କରି ଲାଇଟର ମାରିବା ପରେ ସିଲିଣ୍ଡରରୁ ଗ୍ୟାସ ନିର୍ଗତ ହୋଇ ଜଳି ଯାଇଥିଲା। ପରେ ପ୍ରଚଣ୍ଡ ବିସ୍ଫୋରଣ ହୋଇ ରୋଷେଇ ଘରର ଛାତ ଉଡ଼ିଯାଇଥିଲା। ପ୍ରଫୁଲ୍ଲଙ୍କ ଦେହରେ ନିଆଁ ଲାଗି ଯିବାରୁ ସେ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ପ୍ରଥମେ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା କରାଯିବା ପରେ ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।